ନିର୍ଘାତ ବର୍ଷାରେ ରାଜଧାନୀର ସ୍ଥିତି ବେହାଲ
ମଧୁସୂଦନ ନଗରରେ ସର୍ବାଧିକ ୧୦୭.୯ ମି.ମି.ବର୍ଷା ରେକର୍ଡ
ଭୁବନେଶ୍ବର : ରାଜଧାନୀରୁ ପ୍ରବଳ ବର୍ଷା । ବୁଧୁବାର ରାତିରୁ ନିର୍ଘାତ ବର୍ଷାରେ ରାଜଧାନୀର ସ୍ଥିତି ବେହାଲ । ଫଳରେ ରାଜଧାନୀର ଚାରିଆଡ଼େ ପାଣି ଭର୍ତ୍ତି ହୋଇ ଯାଇଛି । ବିଶେଷକରି ଭୁବନେଶ୍ୱରର ପୋଖରୀପୁଟ,ଚନ୍ଦ୍ରଶେଖରପୁର ଏବଂ ମଧୁସୂଦନ ନଗର ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଛି । ଗୁରୁବାର ସକାଳ ସୁଦ୍ଧା ମଧୁସୂଦନ ନଗରରେ ସର୍ବାଧିକ ୧୦୭.୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ସମଗ୍ର ରାଜଧାନୀରେ ସକାଳ ସାଢେ ୫ଟା ସୁଦ୍ଧା ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।
ଆସନ୍ତା ଦୁଇ ଦିନ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରା ଯାଇଛି । ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ । ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରା ଯାଇଛି । କେତେକ ସ୍ଥାନରେ ବିଜୁଳି, ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ, ଘଡ଼ଘଡ଼ି ସହ ବିଜୁଳି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା, ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣିପାଗ ବିଭାଗର ସତର୍କବାଣୀକୁ ମାନିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ରାଜ୍ୟର ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି ।
ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୮, ୯ ଓ ୧୦ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।




