ଗ୍ରାମ ବିବାଦରୁ ୩ଦିନ ହେଲା ହୋଇପାରୁ ନାହିଁ ଶବ ସତ୍କାର

ଗ୍ରାମ ବିବାଦରୁ ୩ଦିନ ହେଲା ହୋଇପାରୁ ନାହିଁ ଶବ ସତ୍କାର
Samaya Live News Picture
Published On

କେନ୍ଦ୍ରାପଡ଼ା : ହଜିଯାଇଛି ମାନବିକତା । ଶବକୁ ମିଳୁନି ସମ୍ମାନ। ଗ୍ରାମ୍ୟ ବିବାଦରୁ ଅମାନବୀୟ ନିଷ୍ପତି । ସତ୍କାର ହୋଇ ନପାରି ୩ଦିନ ଧରି ଘରେ ପଡି ରହିଛି ଶବ । ଶାଶୁଙ୍କ ଶବକୁ ଜଗି ରହିଛି ବୋହୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁ' ରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଘଟଣା ।

ଗାଁର ସବିତା ଶାସମଲ ଗତ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ତାଳଚୁଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା। ପରେ ନିୟମ ଅନୁଯାୟୀ ମୃତଦେହକୁ ତାଙ୍କ ବୋହୂଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଗ୍ରାମବାସୀ ଓ ସବିତାଙ୍କ ପରିବାର ମଧ୍ୟରେ ପୂର୍ବରୁ ଥିବା ବିବାଦ କାରଣରୁ କେହି ମଧ୍ୟ ଶବ ସତ୍କାର ପାଇଁ ଆଗକୁ ଆସୁନାହାନ୍ତି। ଫଳରେ ତିନି ଦିନ ହେଲା ମୃତଦେହ ଘରେ ପଡ଼ି ରହିଛି ।

ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜ୍ଞାତିକୁଟୁମ୍ବଙ୍କ ପର୍ଯ୍ୟନ୍ତ କେହି ଶେଷକୃତ୍ୟରେ ସହଯୋଗ କରୁନଥିବାରୁ ଅସହାୟ ପରିସ୍ଥିତିରେ ଶାଶୁଙ୍କ ମୃତଦେହକୁ ଜଗି ରହିଛନ୍ତି ବୋହୁ ।

ଗ୍ରାମବାସୀଙ୍କ ଏଭଳି ଅମାନବୀୟ ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମୃତଦେହର ସତ୍କାର ବ୍ୟବସ୍ଥା କରିବା ସହ ବିବାଦର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

Tags: