ସଂସ୍କାର ହୋଇ ନପାରି ୨ଦିନ ହେଲା ଘରେ ପଡି ରହିଛି ମୃତଦେହ
ଉମରକୋଟ : ପୁଣି ଶବକୁ ଅସମ୍ମାନ । ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ମୃତ୍ୟୁ ପରେ ବି ପିଛା ଛାଡୁନାହିଁ ବିବାଦ। ଗାଁ ଶ୍ମଶାନରେ ଶବ ସଂସ୍କାର ହୋଇ ନପାରିବାରୁ ୨ଦିନ ହେଲା ଘରେ ପଡି ରହିଛି ଶବ। ଅନ୍ୟ ଧର୍ମ ଗ୍ରହଣ କରିବାରୁ ଗ୍ରାମବାସୀ ଗାଁ ମଶାଣିରେ କରାଇ ଦେଉ ନାହାନ୍ତି ଶବ ସତ୍କାର । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅଣ୍ଡରିଗୁଡା ଗାଁ ରେ ।
ସୂଚନାଯୋଗ୍ୟ ଯେ, ଉମରକୋଟ ବ୍ଲକ ଅଣ୍ଡରିଗୁଡା ଗାଁର ରାଜମନ ସାନ୍ତାଙ୍କ ପତ୍ନୀ ମାଣିକ ସାନ୍ତା (୫୪)ଙ୍କର ଗତ ସୋମବାର ସନ୍ଧ୍ୟା ୭ଟାରେ ମୃତ୍ୟୁ ହୋଇଥିଲା । କିନ୍ତୁ ଘଟଣାକୁ ୪୦ ଘଣ୍ଟା ବିତିଥିଲେ ମଧ୍ୟ ଏଯାଏ ଘରେ ପଡିରହିଛି ଶବ । ଗ୍ରାମବାସୀଙ୍କ ଗୋଟିଏ ଜିଦ ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମେ ଗାଁ ଶ୍ମଶାନରେ ଜାଗା ଦେବୁନାହଁ । ଯଦି ହିନ୍ଦୁ ରୀତିନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ଶ୍ମଶାନରେ ଜାଗା ଦେବୁ । ଘଟଣାସ୍ଥଳରେ ଉମରକୋଟ ପୋଲିସ ତହସିଲଦାର ଓ ବିଡିଓ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତଥାପି ସମସ୍ତେ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।
ଅନ୍ୟପଟେ ମୃତକ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ । ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅପର ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ଶବ ପଡ଼ି ରହିଛି ।
ସେହିପରି, ରାଇଘର ବ୍ଲକ୍ ଅନ୍ତର୍ଗତ ଦେବଗାଁ ପଞ୍ଚାୟତର ଡୁମୁରିମୁଣ୍ଡା ଗ୍ରାମର ଜଣେ ୭୦ ବର୍ଷୀୟା ମହିଳା ରାୟମତି ଗଣ୍ଡଙ୍କ ସୋମବାର ଅପରାହ୍ନ ୩ଟାରେ ମୃତ୍ୟୁ ଘଟିଥିଲା । ତେବେ ମୃତା ଏବଂ ତାଙ୍କ ପରିବାର ଗତ ୩ ବର୍ଷ ହେଲା ହିନ୍ଦୁଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ଜାଗା ଦେଉ ନ ଥିବାରୁ ସେଠାରେ ଉତ୍ତେଜନା ଲାଗି ରହିଛି l ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ରହି ଗ୍ରାମବାସୀଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ନ ଥିବା ଜଣାପଡ଼ିଛି ।
ଏ ନେଇ ଗାଁରେ ଏକ ବୈଠକ କରାଯାଇ ଦୁଇ ଧର୍ମର ଲୋକେ ଆଲୋଚନା କରୁଛନ୍ତି l ଏପରିକି ବୃଦ୍ଧାଙ୍କ ନିଜ ପରିବାରର କେତେଜଣ ଲୋକ ଧର୍ମ ପରିବର୍ତ୍ତନ ନ କରି ମୂଳଧର୍ମରେ ରହିଥିବା ଯୋଗୁ ବୈଠକରେ ମୃତକଙ୍କ ପରିବାର ବିପକ୍ଷରେ ବସି ରହିଛନ୍ତି। ଫଳରେ ନିଜ ବଂଶଧର ପଟ୍ଟା ଜାଗାରେ ମଧ୍ୟ ବୃଦ୍ଧାଙ୍କ ମରଶରୀରକୁ ସତ୍କାର କରିବାକୁ ଅନୁମତି ଦେଉ ନ ତତ୍ବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ରାଇଘର ଥାନା ଅଧିକାରୀ, ଉମରକୋଟ ଏସ୍ଡିପିଓ, ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ଲୋକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି ।



