ଜଣେ ଶିକ୍ଷକ ଥିବା ସ୍କୁଲରେ ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡ଼ରାଣପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୫ ମାସ ହେଲା ନାହାନ୍ତି ଶିକ୍ଷକ
ପୁରୀ : ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିୟୋଜନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଜଣିକିଆ ଶିକ୍ଷକ ସ୍କୁଲରେ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତର ସହ ନେଇଛନ୍ତି । ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତ କରାଯିବ । ତେଣୁ ଜଣେ ଶିକ୍ଷକ ଥିବା ସ୍କୁଲ ଗୁଡିକୁ ଚିହ୍ନଟ କରି ୧୫ ଦିନରେ ବ୍ୟବସ୍ଥା କରିଵାକୁ ନିର୍ଦେଶ ଦିଆଯାଇଛି ।
ଅନ୍ୟପଟେ ,ପୁରୀ ଜିଲ୍ଲାରୁ ଆସିଛି ଆଉ ଏକ ଖବର । ବିନା ଶିକ୍ଷକରେ ଚାଲିଛି ସ୍କୁଲ । ୫ ମାସ ହେଲାଣି ନାହାନ୍ତି ଶିକ୍ଷକ । ପିଲାଙ୍କୁ ଜଗୁଛନ୍ତି ପାଚିକା । ସବୁଦିନ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଘରକୁ ପଳାଉଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡ଼ରାଣପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ନେବାର ୫ ମାସ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ସ୍କୁଲକୁ ଶିକ୍ଷକ ଆସିନାହାନ୍ତି । ଗାଁର କେହି ଶିକ୍ଷିତ ଯୁବକ ସମୟ ପାଇଲେ ଯାଇ ପାଠ ପଢାନ୍ତି । ନିକଟରେ ଥିବା ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ କଥା ବୁଝିବା ପାଇଁ ସ୍କୁଲ ଯାଆନ୍ତି । ଏନେଇ ବ୍ରହ୍ମଗିରି ବିଇଓଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ ବି ଅଫିସରେ ତାଲା ପଡିଥିଲା । ଅନ୍ୟ କୌଣସି ଅଧିକାରୀ ମୁହଁ ଖୋଲିବାକୁ ମନା କରିଦେଇଥିଲେ ।




