ଜନଗଣନା କରିବାକୁ ଯାଇ ୩ ଦିନ ହେଲା ଶିକ୍ଷୟିତ୍ରୀ ନିଖୋଜ
ମୟୁରଭଞ୍ଜ : ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ । ମୟୁରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଢେଙ୍କିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ୩ ଦିନ ହେଲା ନିଖୋଜ ଅଛନ୍ତି । ଗତ ୧୮ ତାରିଖ ଶନିବାର ଠାରୁ ସେ ନିଖୋଜ ଥିବା ସୂଚନା ମିଳିଛି । ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ସେ ସହକାରୀ ଶିକ୍ଷୟିତ୍ରୀ ଭାବରେ ମାତ୍ର ୬ମାସ ପୂର୍ବରୁ ନିଯୁକ୍ତି ପାଇଥିଲେ । ତାଙ୍କ ଘର ପୁରୀରେ ବୋଲି ଜଣାପଡିଛି ।
ସୂଚନାନୁସାରେ, ୬ମାସ ଧରି ସୁରେଶ ଚନ୍ଦ୍ର ସିଂଙ୍କ ଘରେ ଜ୍ୟୋତ୍ସ୍ନା ଭଡ଼ାରେ ରହୁଥିଳେ। ୧୮ ତାରିଖ ସକାଳ ପ୍ରାୟ ୭ଟାରେ ସେ ସ୍କୁଲକୁ ଯାଇଥିଲେ। ଡ୍ୟୁଟି ସାରି ସେ ଗୃହଗଣନା କରିବାକୁ ଯାଇଥିଲେ। କିନ୍ତୁ ଅପରାହ୍ଣ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଏବଂ ତାଙ୍କ ମୋବାଇଲ୍ ସୁଇଚ୍-ଅଫ୍ ଥିବାରୁ ସୁରେଶଙ୍କ ସନ୍ଦେହ ହୋଇଥିଲା । ଏନେଇ ସୁରେଶ ଚନ୍ଦ୍ର ସିଂ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ସଦର ଥାନା ପୋଲିସ୍ ।



