ଦରମା ନ ମିଳିବାରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ
ଭଦ୍ରକ : ଶିକ୍ଷା ବିଭାଗର ଚରମ ଅବହେଳା । ମାନସିକ ଚାପ ସହି ନପାରି ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ । ଦୀର୍ଘ ୬ ମାସ ଧରି ଦରମା ନମିଳିବାରୁ ଶିକ୍ଷକ ମାନସିକ ଦୁଶ୍ଚିନ୍ତା ରେ ଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାଲେଶ୍ୱର ଦୁରୂଖାଗୋଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମୀଧର ମହାନ୍ତି । ସେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁରୂଖାଗୋଡା ପ୍ରାର୍ଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ୬ ମାସ ତଳେ ଲକ୍ଷ୍ମୀଧର ଖଇରା ବ୍ଲକ ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ।
ବଦଳି ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ L.P.C. ସହିତ ଆବଶ୍ୟକ କାଗଜପତ୍ର ଦେଉନଥିବାରୁ ଲକ୍ଷ୍ମୀଧର ଦରମା ପାଇବାରୁ ବଞ୍ଚିତ ଥିଲେ । ବାରମ୍ବାର କୋରାପୁଟ ଯାଇ କାର୍ଯ୍ୟାଳୟରେ ଗୁହାରି କରିବା ପରେ ମଧ୍ୟ କେହି ଶୁଣିନଥିଲେ । କାର୍ଯ୍ୟାଳୟରେ ଥିବା ଦୀପକ ପଟ୍ଟନାୟକ ଅଧିକ ଲାଞ୍ଚ ମାଗିଥିଲେ ଯାହା ଲକ୍ଷ୍ମୀଧର ଦେବାରେ ଅସମର୍ଥ ଥିଲେ ବୋଲି ଅଭିଯୋଗ ହୋଇଛି । ଦରମା ନପାଇବାରୁ ପରିବାର ଚଳାଇବା ଲକ୍ଷ୍ମୀଧରଙ୍କ ନିକଟରେ ବହୁ ଅସୁବିଧା ହେଉଥିଲା । ଯାହାକୁ ନେଇ ଲକ୍ଷ୍ମୀଧର ଅନେକ ସମୟରେ ମାନସିକ ଭାରସାମ୍ୟରେ ଥିଲେ।
ଆଜି ସକାଳେ ହଠାତ୍ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଲକ୍ଷ୍ମୀଧରଙ୍କୁ ହୃଦ୍ଘାତ ହୋଇଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୃତ ଶିକ୍ଷକଙ୍କ ଭାଇ ଲମ୍ବୋଧର ମହାନ୍ତି ଏହି ମୃତ୍ୟୁ ପାଇଁ ସିଧାସଳଖ ଶିକ୍ଷା ବିଭାଗ ଓ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଏନେଇ ସେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଖଇରା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।




