କଲବଲ କରୁଛି ତାତି, ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ସକାଳ ୭ ଟା ରୁ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳେ ଦିନ ୧୨ଟାରୁ ସନ୍ଧ୍ୟା ଯାଏଁ ଝାଞ୍ଜି ବୋହୁଛି । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡିଶା ରୁ ଉପକୂଳ ଓଡ଼ିଶା ସବୁଠି ଲୋକେ ଖରାରେ ସିଝୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିର ତୀବ୍ରତା ଅଧିକ ଅନୁଭବ ହେଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହେଇଗଲାଣି । ଆସନ୍ତା କିଛି ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରି ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତକାଲି ୪୦ ଡିଗ୍ରି ଉପରେ ୧୧ଟି ସହରର ତାପମାତ୍ରା ରହିଥିଲା । ୪୨.୯ ଡିଗ୍ରି ସହ ବୌଦ୍ଧ ଥିଲା ସର୍ବାଧିକ ଉତ୍ତପ୍ତ ସହର । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଦକ୍ଷିଣ ପୂର୍ବ ଆରବସାଗର, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଦୀପର ବାକି ଅଞ୍ଚଳ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସୋମବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ । ମଙ୍ଗଳବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ୫୦ରୁ ୬୦କିମି ବେଗରେ ପବନ ବି ବହିବ ବୋଲି ପୂର୍ବାନୁମାନ ଦିଆଯାଇଛି।
ଅନ୍ୟପଟେ, ପାଣିପାଗ ବିଭାଗ ଆକଳନ ଅନୁସାରେ, ମେ ୨୬ ସୁଦ୍ଧା କେରଳ ଛୁଇଁବ ମୌସୁମୀ । ଏହାପୂର୍ବରୁ ରାଜ୍ୟରେ ଖରା ସାଙ୍ଗକୁ କାଳବୈଶାଖୀ ପ୍ରଭାଵ ରହିବ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ‘ସୁପର୍ ଏଲ୍ ନିନୋ’ ସକ୍ରିୟ ହେବାକୁ ଯାଉଛି । ଯାହା ଭାରତରେ ମୌସୁମୀ ବାୟୁକୁ ଗଭୀର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି।



