ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ସିବିଆଇ ତଦନ୍ତ ଦାବି କଲା ବିଶ୍ୱହିନ୍ଦୁ ପରିଷଦ
ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ। ଏଥିସହିତ ନିଖୋଜ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି । କନ୍ଧମାଳରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ଶିଷ୍ୟଙ୍କ ହତ୍ୟା ଘଟଣାର ହଜିଥିବା ନ୍ୟାୟମୂର୍ତ୍ତି ଏ.ଏସ୍.ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି । ଏଥିସହ ଓଡ଼ିଶାରେ ଧର୍ମାନ୍ତରୀକରଣ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଲାଗୁ କରିବାକୁ ମଧ୍ୟ ସଂଗଠନ ଆହ୍ୱାନ ଦେଇଛି ।
ନୂଆଦିଲ୍ଲୀରେ ୨୦ ଜୁଲାଇରେ ଆୟୋଜିତ ଭିଏଚପିର ଦୁଇଦିନିଆ କେନ୍ଦ୍ରୀୟ ପରିଚାଳନା ସମିତି ବୈଠକରେ ଏନେଇ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ସୂଚନାନୁସାରେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୀର୍ଘ ଦଶନ୍ଧି ଧରି କନ୍ଧମାଳ ଜିଲ୍ଲା ଆଦିବାସୀ ଅଞ୍ଚଳରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ କରୁଥିଲେ । ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ତାଙ୍କ ସହ ଚାରିଜଣ ସହଯୋଗୀ ଶୋଇଥିବାବେଳେ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ କନ୍ଧମାଳରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଘଟିଥିଲା । ଏଥିରେ ଅନେକ ଲୋକଙ୍କ ଜୀବନହାନି ଘଟିବା ସହ ବହୁ ପରିବାର ବିସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୩ରେ ସେସନ୍ସ କୋର୍ଟ ଆଠଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଏହି ଘଟଣାର ତଦନ୍ତ ପାଇଁ ଗଠିତ ନାଇଡୁ କମିଶନ ୨୦୧୫ ଡିସେମ୍ବରରେ ୧,୫୦୦ ପୃଷ୍ଠାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରିଥିଲେ। କିନ୍ତୁ ଏହି ରିପୋର୍ଟ କେବେ ବି ସାର୍ବଜନୀନ କରାଯାଇନଥିଲା । ୨୦୨୪ରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ରିପୋର୍ଟ ଗାଏବ ହୋଇଥିବା ଜଣାପଡ଼ିଥିଲା ।




