ସେବାଶ୍ରମ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ସମ୍ବଲପୁର : ପ୍ରଥମଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବ୍ଲକର ମୁଟୁରୁମୁଣ୍ଡା ସେବାଶ୍ରମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ଛାତ୍ରୀ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଲବସା ଗ୍ରାମର ଜସ୍ମିନ୍ତା ବାଡାୟୁ । ଚଳିତ ଶିକ୍ଷାବର୍ଷରେ ସେ ମୁଟୁରୁମୁଣ୍ଡା ସେବାଶ୍ରମରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ । ତେବେ କେଉଁ କାରଣରୁ ତାଙ୍କର ଅକାଳ ବିୟୋଗ ଘଟିଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜସ୍ମିନ୍ତାଙ୍କ ଶରୀର ଅସୁସ୍ଥ ଲାଗୁଥିବାରୁ ସେ ତାଙ୍କ ବଡ଼ ଭଉଣୀ ପ୍ରୀତି ବାଡାୟୁଙ୍କୁ ଜଣାଇଥିଲେ । ପ୍ରୀତି ଏହି ସୂଚନା ସେବାଶ୍ରମର ମେଟ୍ରନ୍ ଜୟନ୍ତୀ ବାଳା ସାହୁଙ୍କୁ ଦେଇଥିଲେ । କିନ୍ତୁ ରାତି ଅଧିକ ଥିବାରୁ ଛାତ୍ରୀଙ୍କୁ ସକାଳେ ଆଣି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ପରିବାର ଲୋକ ରେଢ଼ାଖୋଲରେ ଆସିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।




