ବାଲେଶ୍ଵର ଜେଲର ନିଲମ୍ବିତ
ବାଲେଶ୍ୱର : ବାଲେଶ୍ଵର ଜେଲର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ । ପ୍ରାଥମିକ ତଦନ୍ତ ଏବଂ ବିଭାଗୀୟ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ତଦନ୍ତରୁ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ଜେଲ୍ ଅଧିକାରୀଙ୍କ ବିରୋଧରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅବହେଳା, ବିଭାଗୀୟ ନିର୍ଦ୍ଦେଶାବଳୀ ପାଳନ ନକରିବା ଏବଂ ଜେଲ୍ର ପ୍ରଶାସନିକ ପରିଚାଳନାରେ ବିଶୃଙ୍ଖଳା ଭଳି ସଙ୍ଗୀନ ଅଭିଯୋଗ ରହିଛି ।
ନିଲମ୍ବନ ଆଦେଶ ଜାରି ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ପୂର୍ବ ଅନୁମତି ବିନା ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ି ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ପାଇଁ ଏକ ବ୍ୟାପକ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।
ଜେଲ୍ ପରିସରରେ କଡା ସୁରକ୍ଷା ଏବଂ ଶୃଙ୍ଖଳା ବଜାୟ ରଖିବା ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାବେଳେ କର୍ତ୍ତବ୍ୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଡିଜି ପ୍ରତିକ୍ରିୟା ଦେଇ କହିଛନ୍ତି ।




