ତୈଳ ସଙ୍କଟ ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣ ସଚିବ

ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି

ତୈଳ ସଙ୍କଟ ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣ ସଚିବ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଛି ତୈଳ ସଙ୍କଟ । ଅନେକ ସ୍ଥାନରେ ଟାଙ୍କିରେ ପେଟ୍ରୋଲ ନଥିବାରୁ ଲାଗିଛି ନୋ ଷ୍ଟକ୍‌ ବୋର୍ଡ଼ । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଗଞ୍ଜାମ, ବଲାଙ୍ଗୀର, ରାଉରକେଲା ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ତେଲର ଅଭାବ ଥିବା ଦେଖାଦେଇଛି । ଆଉ ଯେଉଁଠି ତେଲ ମିଳୁଛି ସେଠାରେ ଲମ୍ବା ଲାଇନ୍ ଲାଗିଛି । ତେଣୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି ।  ଆଗକୁ କାଳେ ତେଲ ମିଳିବନି, ତେଲ ଦର ବଢ଼ିଯିବ, ସେଇ ଆଶଙ୍କାରେ ଅନେକ ଜାଗାରେ ଲୋକେ ଅଧିକ ମାତ୍ରାରେ ପେଟ୍ରୋଲ ନେଉଥିବାରୁ ଟାଙ୍କି ଗୁଡ଼ିକରେ ଷ୍ଟକ୍‌ ସରିଯାଉଛି । ହଠାତ୍‌ ପେଟ୍ରୋଲ କିଣିବା ପରିମାଣ ୫୦ ପ୍ରତିଶତ ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

 ଗ୍ୟାସ୍ ପାଇଁ ଯେଭଳି ହୋ-ହଲ୍ଲା ଚାଲିଥିଲା, ଠିକ୍‌ ସେମିତି ଏବେ ପେଟ୍ରୋଲ ଡିଜେଲ ପାଇଁ ହୋ-ହଲ୍ଲା ଚାଲିଛି । ଗ୍ୟାସ୍‌ ଭଳି ଖୁବ୍‌ ଶୀଘ୍ର ତେଲ ସମସ୍ୟା ଦୂର ହେବ ବୋଲି କହିଛନ୍ତି ସରକାର । ତେବେ ରାଜ୍ୟରେ ତେଲ ସଙ୍କଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ସଚିବ ପ୍ରମୁଖ ସଚିବ ସଂଜୟ ସିଂ । ଘରୋଇ ବସ୍ ମାଲିକ ସଂଘର ଆଶଙ୍କାକୁ ଭିତ୍ତିହୀନ ବୋଲି କହିଛନ୍ତି  । ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି । ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ହୋଇଛି । ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି । ସ୍ୱାଭାବିକ ସ୍ଥିତିରେ ବି ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ । ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି । ଆବଶ୍ୟକୀୟ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ସଚିବ । ତେଣୁ ଭୟଭୀତ ହୋଇ ଆଦୌ ତେଲ ନ କିଣିବାକୁ ଜନସାଧାରଣଙ୍କୁ ଯୋଗାଣ ବିଭାଗ ସଚିବ ପରାମର୍ଶ ଦେଇଛନ୍ତି । 

ସେପଟେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ରାଜ୍ୟରେ ତୈଳ ସଙ୍କଟ ଦେଖା ଦେଇଛି । ଏଭଳି ସମସ୍ୟା ଲାଗି ରହିଲେ ୬ ରୁ ୭ ଦିନରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ତେଣୁ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ପବ୍ଲିକ୍‌ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ କହିଛନ୍ତି । ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି । ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଥିବାବେଳେ ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁ ନାହିଁ ବୋଲି ସେ କହିଛନ୍ତି । 

 

Tags: