ଭିଜିଲାନ୍ସ ଜାଲରେ ଜଗତପୁରଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜଗତପୁର ଉତ୍ତର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ । ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ସଂଗ୍ରହ ହେଉଥିବା ସୂଚନା ଆଧାରରେ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କ ଗାଡିକୁ ଅଟକାଇଥିଲା ଭିଜିଲାନ୍ସ । ଏହାପରେ ଗାଡି ସର୍ଚ୍ଚ ବେଳେ ସେଥିରୁ ଜବତ ହୋଇଥିଲା ୭.୨୮ ଲକ୍ଷ ଟଙ୍କା । ଲାଞ୍ଚ କାରବାର ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ଗିରଫ ହୋଇଛନ୍ତି ।
ସେହିପରି ,ଆଜି ସକାଳେ ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିରେ ଥିବା ତାଙ୍କ ଭଡ଼ା ଘର ଏବଂ ବରଗଡ଼ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା । ଏପର୍ଯ୍ୟନ୍ତ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରାଯାଇଛି ।
ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବେଳେ ଜବତ ଟଙ୍କାର ଉତ୍ସ ନେଇ ଅଧିକ ତଦନ୍ତ ଜାରି ରହିଛି ।




