ସୁନ୍ଦରପଦା ବୋମା କାଣ୍ଡ,ଆହତଙ୍କୁ NIA ଜେରା
ଭୁବନେଶ୍ୱର : ଭୁବନେଶ୍ବର ସୁନ୍ଦରପଦା ଆଜାଦ ନଗର ବୋମା ବିସ୍ଫୋରଣ ର କାରଣ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆହତଙ୍କୁ ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏନଆଇଏ ଟିମ ପହଞ୍ଚି ଚିକିତ୍ସିତ ଅବସ୍ଥାରେ ପଚରାଉଚରା କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସାହାନୱାଜ ମଲିକ ଓରଫ ମୁଫିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୩ ଆହତଙ୍କୁ ଏନ୍ଆଇଏ ଗୁରୁବାର ପଚରାଉଚରା କରିଛି । ଆହତଙ୍କ କ୍ରାଇମ ହିଷ୍ଟ୍ରୀ ଖୋଜାଯିବ I ଘଟଣା ପଛର ରହସ୍ୟ ଖୋଜୁଛି ତଦନ୍ତକାରୀ ସଂସ୍ଥା।
ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ କେଉଁଠୁ ଆସିଲା ସେ ନେଇ ଚାଲିଛି ତନାଘନା ତଦନ୍ତ । ବୋମା ପ୍ରସ୍ତୁତ ପାଇଁ ବାରୁଦ ସମେତ ଅନ୍ୟ ସାମଗ୍ରୀ ଅଭିଯୁକ୍ତ କେଉଁଠୁ ଆଣିଥିଲା । କାହାକୁ ସେ ନିଶାଣ କରିଥିଲା। ଏଥିରେ ସୁପାରୀ କାରବାର ହୋଇଥିଲା କି ନାହିଁ ଏସବୁ ଦିଗକୁ ନେଇ ଏନ୍ଆଇଏ ଖୋଳତାଡ଼ ଚଳାଇଛି। ମୁଫି ସୁସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟାଇବା ଲାଗି ଏନ୍ଆଇଏ ଆଶା ବାନ୍ଧିଛି।
ସୂଚନାନୁସାରେ,ଗତ ମଙ୍ଗଳବାର ଦିନ ସୁନ୍ଦରପଦା ଆଜାଦ ନଗରରେ ଏକ ଭଡ଼ାଘର ଛାତ ଉପରେ ବୋମା ତିଆରି ଚାଲିଥିବା ବେଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ କୁଖ୍ୟାତ ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ ଜଣ ଗୁରୁତର ହୋଇଥିଲେ । କୁଖ୍ୟାତ ଅପରାଧୀ ମୁଫି ଘର ଖୋର୍ଦ୍ଧା ଜିଲା ବୋଲଗଡ଼ର ଇଚ୍ଛାପୁରରେ । ୨୦୨୫ ଫେବୃଆରୀରୁ ଚୁକ୍ତିନାମା କରି ଆଜାଦ ନଗରରେ ସେ ଉକ୍ତ ଘର ଭଡ଼ାକୁ ନେଇ ରହୁଥିଲା । ବୋମା ଭିଡ଼ିବାରେ ତାକୁ ମା’ ଲିଜାତୁନ ବିବି, ବାନ୍ଧବୀ ତୃପ୍ତିମୟୀ ମହଲା ଓ ସାଙ୍ଗ ଅମିୟ ରଞ୍ଜନ ମଲିକ ସହଯୋଗ କରୁଥିଲେ । ସେମାନେ ମଧ୍ୟ ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେମାନେ ଫେରାର ହେବା ବେଳେ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମୁଫିର ଅବସ୍ଥା ସଙ୍କଟାପନ୍ନ ଥିଲା । ତା’ ନାଁରେ ନୂଆପଲ୍ଲୀ, କ୍ୟାପିଟାଲ, ଖଣ୍ଡଗିରି ଓ ମୈତ୍ରୀ ବିହାର ଥାନାରେ ହତ୍ୟା, ଚୋରି, ଡକାୟତି, ଦାଦାବଟି ଓ ମାର୍ପିଟ୍ ଭଳି ଏକାଧିକ ମାମଲା ରହିଛି। ଘଟଣାସ୍ଥଳରେ ପୁଲିସ ଉପାୟୁକ୍ତ ଜଗମୋହନ ମୀନା ପହଞ୍ଚି ତଦନ୍ତ କରିଥିଲେ।
ଏହି ଖବର ପାଇ ସେଠାରେ ଏନ୍ଆଇଏ ଦଳ ପହଞ୍ଚି ତନାଘନା କରିଥିଲା। ବିସ୍ଫୋରଣ ସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିଲା।ତେବେ ବୋମାରେ କେଉଁ କେମିକାଲ ବ୍ୟବହାର ହେଉଥିଲା ? ଜାତୀୟ ସୁରକ୍ଷା କ୍ଷେତ୍ରରେ କିଛି ଷଡ଼ଯନ୍ତ୍ର ରହିଛି କି ? ତଦନ୍ତ ବେଳେ ଏସବୁ ଦିଗରେ ଫୋକସ କରୁଛି ଏନଆଇଏ ।



