ଆଜିଠାରୁ ଜୁନ ୧୭ ଯାଏଁ ଖରା ଛୁଟି
ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ କ୍ରମେ ଏପ୍ରିଲ ୨୭ ସୋମବାର ରୁ ଜୁନ ୧୭ଯାଏଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଘୋଷଣା ହୋଇଛି । ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ମେ’୬ରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମକାଳୀନ ଛୁଟି ରହିଥିଲା । ତେବେ ରାଜ୍ୟରେ ପ୍ରଚଣ୍ଡ ତାତିକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଛୁଟି ସମୟରେ ପିଲାଙ୍କର ପାଠପଢ଼ା ଯେପରି କ୍ଷତି ନହୁଏ ସେଥିଲାଗି ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ତଥା ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାର୍ଯ୍ୟ ପୂର୍ବପରି ଜାରି ରହିବ ।



