ଆନୁଷ୍ଠାନିକ ଭାବରେ ବିଜେଡିରେ ମିଶିଲେ ସୁଜାତା
ଭୁବନେଶ୍ୱର : ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ ବୈଠକ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆନୁଷ୍ଠାନିକ ଭାବରେ ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ସମୟରେ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ସୁଜାତା ଜଣେ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନରେ ମୁ ନିଜେ ନେତୃତ୍ୱ ନେବି।
ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପାଛୋଟି ନେଇଥିଲେ । ସେମାନଙ୍କ ସହିତ ଅନ୍ୟ ରାଜନୈତକ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାନୁସାରେ , କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତ ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ହୋଇ ପ୍ରଥମେ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ସେ ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ । ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତି କରଣ ଦିଗରେ ଅନେକ କାମ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ । ସୁଜାତାଙ୍କ ସମୟରେ SHG ଗ୍ରୁପ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା । ପ୍ରାୟ ୨୫ ବର୍ଷ କ୍ୟାରିଅରରେ ସେ ଶିକ୍ଷା, ପୋଷଣ, ମାତୃ କଲ୍ୟାଣ ଏବଂ ମହିଳା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।




