ଚାନ୍ଦିପୁର ITRରୁ ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ 'ପିନାକ' ର ସଫଳ ପରୀକ୍ଷଣ
ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ବାଲେଶ୍ୱର ଚାନ୍ଦିପୁରସ୍ଥିତ ପରୀକ୍ଷଣ ରେଞ୍ଜରୁ ‘ପିନାକ’ ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉତ୍କ୍ଷେପଣ ହୋଇଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ବ୍ୟବହାରକାରୀଙ୍କ (ସେନା) ଆବଶ୍ୟକତା ଅନୁଯାୟୀ, ରକେଟ୍ର ସର୍ବନିମ୍ନ ୬୦ କିଲୋମିଟର ରେଞ୍ଜ୍ ରହିଛି । ପରୀକ୍ଷା ସମୟରେ ରେକଟ୍ଟି ସମସ୍ତ ଉଡ଼ାଣ କୌଶଳ ସଫଳତାର ସହ ପ୍ରଦର୍ଶନ କରିଥିଲା ।LRGR ପୂର୍ବାନୁମାନ କରାଯାଇଥିବା ଗତିପଥକୁ ଠିକ୍ ଭାବରେ ଅନୁସରଣ କରି ଲକ୍ଷ୍ୟସ୍ଥଳ ଉପରେ ପ୍ରଭାବ ପକାଇଥିଲା । ସମସ୍ତ ନିୟୋଜିତ ରେଞ୍ଜ୍ ଉପକରଣ ରକେଟ୍ର ଗତିପଥରେ ଉଡ଼ାଣକୁ ସଫଳତାର ସହ ଟ୍ରାକ୍ କରିଥିଲେ ।
ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ,“ପିନାକ ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ ନିଜର ନିର୍ଦ୍ଧାରିତ ସର୍ବନିମ୍ନ ୬୦ କିଲୋମିଟର ପରିସର ମଧ୍ୟରେ ସଫଳତାର ସହ ପରୀକ୍ଷିତ ହୋଇଛି । ଏହି ପରୀକ୍ଷଣ ସେନାର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ ।” ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାହନାଥ ସିଂ DRDO ଏବଂ ସେନାର ବୈଜ୍ଞାନିକ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।




