ଶୁଭମନ ଗିଲ ଆଉଟ ,ନୂଆ କ୍ୟାପ୍ଟେନ କିଏ?
ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଜଗତରୁ ଆସିଛି ଏକ ବଡ଼ ଅପଡେଟ । ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏବେ ଦୁଲୀପ ଟ୍ରଫି ଖେଳି ପାରିବେ ନାହିଁ । ଫଳରେ ତାଙ୍କ ସ୍ଥାନରେ ଉତ୍ତର ଜୋନ୍ ଦଳ ପାଇଁ ଜଣେ ନୂଆ ଅଧିନାୟକଙ୍କୁ ନିଯୁକ୍ତ କରାଯାଇଛି । ଏହି ନୂଆ ଅଧିନାୟକ କିଏ? କାହିଁକି ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦିଆଗଲା? ଆସନ୍ତୁ ଜାଣିବା ।
ଆସନ୍ତା ୧୫ ତାରିଖରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ର ଚଳିତ ଚକ୍ରକୁ ଦୃଷ୍ଟିରେ ରଖି ଏହି ସିରିଜ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଶୁଭମନ ଗିଲ୍ ଜାତୀୟ ଦଳ ସହ ବ୍ୟସ୍ତ ଥିବାରୁ ସେ ଦୁଲୀପ ଟ୍ରଫିରେ ଯୋଗ ଦେଇପାରିବେ ନାହିଁ। ଏହାପରେ ଉତ୍ତର ଜୋନ୍ ଦଳର ନେତୃତ୍ୱ ପାଇଁ ଚୟନ କରାଯାଇଛି ଜମ୍ମୁ-କାଶ୍ମୀରର ପ୍ରତିଭାବାନ ୱିକେଟକିପର-ବ୍ୟାଟର କନହୈୟା ୱାଧୱାନଙ୍କୁ। ଗତ ସିଜନରେ ଶୁଭମନ ଗିଲ୍ ଏହି ଦଳର ଅଧିନାୟକ ଥିଲେ, କିନ୍ତୁ ଏଥର ସେ ଉପଲବ୍ଧ ନଥିବାରୁ ୱାଧୱାନଙ୍କ ଉପରେ ଭରସା କରିଛି ଉତ୍ତର ଜୋନ୍ କ୍ରିକେଟ୍ ପରିଚାଳନା। ଦୁଲୀପ ଟ୍ରଫି ୨୦୨୬ ଅଗଷ୍ଟ ୨୩ରୁ ଆରମ୍ଭ ହେବ। ପଶ୍ଚିମ, ପୂର୍ବ, ଉତ୍ତର, ଦକ୍ଷିଣ, କେନ୍ଦ୍ର ଏବଂ ଉତ୍ତର-ପୂର୍ବ ଜୋନ୍—ମୋଟ ଛଅଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ। ଉତ୍ତର ଜୋନ୍ ଦଳର ଉପ-ଅଧିନାୟକ ଭାବେ ଦିଲ୍ଲୀର ଆୟୁଷ ବାଡୋନିଙ୍କୁ ନିଯୁକ୍ତ କରାଯାଇଛି। ମାତ୍ର ୨୪ ବର୍ଷ ବୟସର କନହୈୟା ୱାଧୱାନ ଗତ କିଛି ବର୍ଷ ଧରି ଜମ୍ମୁ-କାଶ୍ମୀର ପାଇଁ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି ।

ଗତ ରଣଜୀ ଟ୍ରଫି ସିଜନରେ ସେ ୧୩ଟି ଇନିଂସରେ ୪୭୪ ରନ୍ କରିଥିଲେ। ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ଫାଇନାଲରେ ଗୁରୁତ୍ୱପୂର୍ଣ୍ଣ ଅର୍ଧଶତକ ମଧ୍ୟ ଆସିଥିଲା। ଏହି ଚମତ୍କାର ପ୍ରଦର୍ଶନ ତାଙ୍କୁ ଉତ୍ତର ଜୋନ୍ ଦଳର ନେତୃତ୍ୱ ପର୍ୟ୍ୟନ୍ତ ପହଞ୍ଚାଇଛି। ୨୦୨୫ ଦୁଲୀପ ଟ୍ରଫିରେ ମଧ୍ୟ ସେ ଉତ୍ତର ଜୋନ୍ ପକ୍ଷରୁ ଖେଳିଥିଲେ ଏବଂ ତିନୋଟି ଇନିଂସରେ ୯୯ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ସେ ଏହି ମର୍ୟ୍ୟାଦାପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ଭାବେ ମାଇଦାନକୁ ଓହ୍ଲାଇବେ। ଉତ୍ତର ଜୋନ୍ର ୧୫ ଜଣିଆ ଦଳରେ ଦିଲ୍ଲୀ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରର ଅନେକ ପ୍ରତିଭାଶାଳୀ କ୍ରିକେଟରଙ୍କୁ ସୁଯୋଗ ମିଳିଛି । ରଣଜୀ ଚାମ୍ପିଅନ୍ ଜମ୍ମୁ-କାଶ୍ମୀରର ଛଅ ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଥିବା ବେଳେ, ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ଅର୍ଶଦୀପ ସିଂହ ଏବଂ ଅଂଶୁଲ କମ୍ବୋଜଙ୍କ ଉପରେ ରହିବ। ଏବେ ସମସ୍ତଙ୍କ ନଜର କନହୈୟା ୱାଧୱାନଙ୍କ ଉପରେ। ଜଣେ ଯୁବ ଅଧିନାୟକ ଭାବେ ସେ କଣ ଉତ୍ତର ଜୋନ୍କୁ ଦୁଲୀପ ଟ୍ରଫିରେ ସଫଳତା ଦେଇପାରିବେ? ଏବଂ ତାଙ୍କର ଏହି ନେତୃତ୍ୱ ଭବିଷ୍ୟତରେ ଭାରତୀୟ ଦଳର ଦ୍ୱାର ଖୋଲିଦେବ କି? ଏବେ ସମସ୍ତଙ୍କ ଅପେକ୍ଷା ମଇଦାନରେ ତାଙ୍କ ପ୍ରଦର୍ଶନ ଉପରେ ।




