ଜାଲ ପ୍ରମାଣପତ୍ର ଦେଇ ସରକାରୀ ଅର୍ଥ ଲୁଟିନେଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ସିଏଜି ରିପୋର୍ଟରେ ବଡ଼ ଖୁଲାସା। ଛାତ୍ର ବୃତ୍ତିକୁ ନେଇ ମହା ଘୋଟଲା । ଜାଲ ପ୍ରମାଣପତ୍ର ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରକାରୀ ଅର୍ଥ ଲୁଟି ନେଇଛନ୍ତି ୧୪୯ ଜଣ ଛାତ୍ରଛାତ୍ରୀ । ମିଥ୍ୟା ଆୟ ଓ ଜାତିଗତ ପ୍ରମାଣପତ୍ର ଦେଇ ମେଧାବୃତ୍ତି ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିନେଇଛନ୍ତି ୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଏହା ଜଣାପଡିବା ପରେ ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ୧୪୯ ଛାତ୍ରଛାତ୍ରୀ ବିରୋଧରେ ଜିଲା ମଙ୍ଗଳ ଅଧିକାରୀ ଗତ ନଭେମ୍ବର ୧୩ରେ ଆଦର୍ଶ ଥାନାରେ ଥାନା ଲିଖତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ରୁଜୁ କରିଛି ।
ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା ଦି ଟେକ୍ନୋ ସ୍କୁଲ, ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଗୁରୁକୁଳ ଇଞ୍ଜିନିୟରିଂ ସ୍କୁଲ, ଗୁରୁକୁଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମହାବୀର ଇଞ୍ଜିନିୟରିଂ କଲେଜ, ମହାବୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଶିବାନୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ ଅଧିନିୟମ ପାଇଁ ସେମାନଙ୍କ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରାଯାଇଛି।




