ଖେଳ ଶିକ୍ଷକଙ୍କ ମାଡ଼ ରେ ଛାତ୍ରଙ୍କ ଦାନ୍ତ ଭାଙ୍ଗିଲା
ବୌଦ୍ଧ : ପିଇଟି ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଶିକ୍ଷକଙ୍କ ମାଡ଼ରେ ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ଦାନ୍ତ ଭାଙ୍ଗିଥିବା ଜଣା ପଡିଛି । ଏହା ସହିତ ଛାତ୍ର ଜଣକ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆହତ ଛାତ୍ରଙ୍କ ନାଁ ବୈଭବ ମହାକୁଡ଼ । ଶିକ୍ଷକଙ୍କ ମାଡ଼ରେ ସେ ଗୁରୁତର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ଜବାହାର ନବୋଦୟ ବିଦ୍ୟାଳୟରେ । ବୈଭବଙ୍କ ମା’ କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁବାର ସକାଳେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏକ ବେତରେ ବୈଭବଙ୍କୁ ପିଟିଥିଲେ। ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ମୁହଁରେ ଗଭୀର ଆଘାତ ଲାଗିଥିଲା । ଏପରିକି ତାଙ୍କ ଦାନ୍ତ ଭାଙ୍ଗି ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରା ଯାଇଛି । ବୈଭବଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।
ବୈଭବଙ୍କ ମା’ ପ୍ରତିକ୍ରିୟା ପ୍ରକାଶ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଘଟଣାର ତଦନ୍ତ କରାଯାଇ ଅଭିଯୋଗର ସତ୍ୟତା ଜଣାପଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଏନଭି ଅଧ୍ୟକ୍ଷ ଅଜୟ କୁମାର ସାହୁ କହିଛନ୍ତି।




