ଓପିଏସ୍‌ସି ପରୀକ୍ଷାରେ କପି କରି ଛାତ୍ର ଗିରଫ

ଓପିଏସ୍‌ସି ପରୀକ୍ଷାରେ କପି କରି ଛାତ୍ର ଗିରଫ
Samaya Live News Picture
Published On

ଭୁବନେଶ୍ୱର :  ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପରୀକ୍ଷାରେ କପି ! ପରୀକ୍ଷାର୍ଥୀ ଗିରଫ ।
ଓପିଏସସି ପରୀକ୍ଷା ସମୟରେ କଟକର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରା ପଡିଛନ୍ତି । ପରୀକ୍ଷାର୍ଥୀ ହେଉଛି କଟକ ଚାଉଳିଆଗଞ୍ଜ ଅଞ୍ଚଳର । ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସମସ୍ତଙ୍କୁ ଗିରଫ କରିଛି ମର୍କତନଗର ପୁଲିସ୍‌ । ପରୀକ୍ଷାର୍ଥୀ ଜଣକ ଅନ୍ତଃବସ୍ତ୍ର ରେ ସ୍ମାର୍ଟ ଫୋନ ଲୁଚାଇ ରଖିଥିବାବେଳେ ଲମ୍ବା ଚୁଟି ଭିତରେ କାନରେ ଇୟରବଡ଼ ଲଗାଇ କପି କରୁଥିଲେ  ।

ଘଟଣା ଅନୁସାରେ ,ରବିବାର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷା ଆୟୋଜିତ ହୋଇଥିଲା । ମର୍କତନଗର ଥାନା ଅନ୍ତର୍ଗତ ଏକ ଇଂଜିନିୟରିଂ କଲେଜରେ ସେଣ୍ଟର୍‌ ହୋଇଥିଲା । ସେଠାରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକ ମଧ୍ୟ ପରୀକ୍ଷା ଦେଉଥିଲେ । ହଠାତ୍‌ ସେଣ୍ଟର ମଧ୍ୟକୁ ସ୍କ୍ୱାଡ୍‌ ଆସି ଯାଞ୍ଚ କରିବାବେଳେ ଉକ୍ତ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହୋଇଥିଲା । ତେଣୁ ସ୍କ୍ୱାଡ୍‌ ସେଠାରେ ଯାଞ୍ଚ୍‌ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍‌ ବଡ୍‌ ଓ ଅନ୍ତଃବସ୍ତ୍ର ତଳୁ ଏକ ସ୍ମାର୍ଟଫୋନ୍‌ ମିଳିଥିଲା । ଏହି ସମୟରେ ଏକ କଲ୍‌ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍‌ କନେକଟେଡ୍‌ ରହିଥାଏ । ସ୍କ୍ୱାଡ୍‌ ସଦସ୍ୟ ତୁରନ୍ତ ଉକ୍ତ ଯୁବକଙ୍କୁ ସେଣ୍ଟର୍‌ରୁ କାଢ଼ି ମର୍କତନଗର ପୋଲିସ ର ଜିମା ଦିଆଯାଇଥିଲା  । ତନାଘନା ପରେ ଜଣା ପଡିଲା ଯେଉଁ ନମ୍ବରରୁ ଫୋନ୍‌ ଆସିଥିଲା ତାର ଲୋକେସନ୍‌ ବେଲିଭିଉ ଛକ ଦେଖାଉଥିଲା । ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ପରୀକ୍ଷାର୍ଥୀ ଜଣକ ପରୀକ୍ଷା ହଲ୍‌ ଭିତରକୁ ମୋବାଇଲ୍‌ ନେଇ ପ୍ରଶ୍ନ ଡାକୁଥିଲେ । ଅପର ପଟୁ ମୋବାଇଲ୍‌ରେ ଉତ୍ତର ଡାକିବାରୁ ଖାତାରେ ଲେଖୁଥିଲେ ପରୀକ୍ଷାର୍ଥୀ ଜଣକ। ପରୀକ୍ଷାର୍ଥୀଙ୍କ କାନରେ ଇୟରଫୋନ୍‌ ଦେଖି ପୁଲିସ୍‌କୁ ଜଣାଇଥିଲେ ସ୍କ୍ୱାଡ ଟିମ୍। ଘଟଣାରେ ପରୀକ୍ଷାର୍ଥୀଙ୍କ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୁଲିସ୍‌।

 

Tags: