ସରକାରୀ କର୍ମଚାରୀଙ୍କୁ କଡା ଚେତାବନୀ, ପତ୍ନୀ ପିଲାଙ୍କୁ ଭରଣ ପୋଷଣ ଖର୍ଚ୍ଚ ନଦେଲେ କଟିବ ଦରମା - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାଡପତ୍ର ପରେ ପତ୍ନୀ-ପିଲାଙ୍କୁ ଭରଣ ପୋଷଣ ଖର୍ଚ୍ଚ ନଦେଲେ କର୍ମଚାରୀଙ୍କ କଟିବ ଦରମା । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସ୍ତ୍ରୀ କିମ୍ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା ବା ଛାଡ଼ପତ୍ର ପୋଷଣ ଖର୍ଚ୍ଚ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ସିଧାସଳଖ ଟଙ୍କା କାଟି ପତ୍ନୀ ଓ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ ହାରାହାରି ୨ରୁ ୩ଟି ଏଭଳି ମାମଲା ସାମ୍ନାକୁ ଆସୁଥିଲା । ଏହାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ତା’ସହିତ ପତ୍ନୀ ଓ ପିଲାମାନଙ୍କ ପ୍ରତି ଏଭଳି ଅବିଚାର କରିବା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ ।
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଅଦାଲତଙ୍କ ନିର୍ଦ୍ଦେଶ ମିଳିବା ପରେ ବିଭାଗୀୟ ଡ୍ରଇଂ ଆଣ୍ଡ ଡିସବର୍ସମେଣ୍ଟ ଅଫିସର(DDO) ମାସିକ ଦରମା ବିଲ୍ ପ୍ରସ୍ତୁତ ବେଳେ କୋର୍ଟ ଧାର୍ଯ୍ୟ କରିଥିବା ଅର୍ଥ କାଟି ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପତ୍ନୀ ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା କରିବା ଏବଂ ପରିବାର ପ୍ରତି ଅବିଚାର କରିବା ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ HRMS ବ୍ୟବସ୍ଥା ସହ ଯୋଡ଼ାଯିବ, ଯାହାଫଳରେ ପୀଡ଼ିତ ମହିଳା ଓ ସନ୍ତାନମାନେ ନିୟମିତ ଭାବେ ସେମାନଙ୍କ ପ୍ରାପ୍ୟ ପାଇପାରିବେ।




