ଆଜିଠାରୁ ପ୍ରଦୂଷଣ ସାର୍ଟିଫିକେଟ କଡ଼ାକଡ଼ି ଯାଞ୍ଚ
କଟକ : ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ପିୟୁସିସି ନଥିଲେ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ। ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ଜୋରିମାନା । ରାଜ୍ୟ ସରକାର ଏପ୍ରିଲ ୧ ପର୍ଯ୍ୟନ୍ତ ପିୟୁସିସିକୁ କୋହଳ କରିଥିଲେ ।
ରାଜ୍ୟରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଓଡିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ିର ଏହାର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପିୟୁସିସି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । କିନ୍ତୁ ଜନସାଧାରଣ ଏ ନେଇ ସଚେତନ ନ ଥିବାରୁ ପିୟୁସିସି ଯାଞ୍ଚକୁ କୋହଳ କରିଥିଲେ ରାଜ୍ୟ ସରକାର । ଏପ୍ରିଲ୧ ପର୍ଯ୍ୟନ୍ତ ଏହି କୋହଳ ଲାଗୁଥିବା ବେଳେ ଆଜିଠାରୁ ପୁନଶ୍ଚ ପିୟୁସିସି ଯାଞ୍ଚ କଡ଼ାକଡ଼ି ହେବ ।
ସେପଟେ PUCC ଅବଧିକୁ ଆଉ ୩ ମାସ ପାଇଁ କୋହଳ କରିବାକୁ ଦାବି କରିଛି ଓଡ଼ିଆ ଅସ୍ମିତା ମଞ୍ଚ । ଯୁଦ୍ଧ ସମୟରେ ବଢୁଥିବା ଦରଦାମ ବୃଦ୍ଧି କୁ ନେଇ ଅସନ୍ତୋଷ ଲାଗି ରହିଥିବାବେଳେ ଏହି ସମୟରେ PUCC ଯାଞ୍ଚ ଜନ ଅସନ୍ତୋଷ ବଢାଇବ ବୋଲି କହିଛନ୍ତି ଓଡ଼ିଆ ଅସ୍ମିତା ମଞ୍ଚର ଆବାହକ ରବି ନାରାୟଣ ବେହେରା ।




