ଇବୋଲାକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ସତର୍କତା
ଭୁବନେଶ୍ୱର: ରାଜ୍ୟକୁ 'ଇବୋଲା' ଭୟ । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ‘ଇବୋଲା’ ଭାଇରସକୁ ନେଇ ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବିଶେଷ କରି ଆଫ୍ରିକୀୟ ଦେଶରୁ ଫେରୁଥିବା ଏବଂ ଇବୋଲା ସଦୃଶ ଲକ୍ଷଣ ଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବି ନାରାୟଣ ମିଶ୍ରଙ୍କ ସୂଚନା ଅନୁସାରେ, ଯଦି କୌଣସି ଯାତ୍ରୀଙ୍କଠାରେ ଇବୋଲା ଲକ୍ଷଣ ଦେଖାଯାଏ, ତେବେ ତାଙ୍କୁ ସିଧାସଳଖ ଭୁବନେଶ୍ୱର ଏମ୍ସ (AIIMS)କୁ ପଠାଯିବ । ସେଠାରେ ରୋଗୀଙ୍କୁ ୨୧ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଏମ୍ସରେ ସ୍ୱତନ୍ତ୍ର ଭାବେ ୧୦ଟି ବେଡ୍ ସଂରକ୍ଷିତ ରଖାଯାଇଛି । କେବଳ ବିମାନବନ୍ଦର ନୁହେଁ, ପାରାଦ୍ୱୀପ ବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍କୁ ସତର୍କ କରାଯାଇଛି । ସେଠାରେ ବିଦେଶୀ ଜାହାଜରୁ ଆସୁଥିବା କ୍ରୁ ଏବଂ ଯାତ୍ରୀଙ୍କର କଡ଼ା ସ୍କ୍ରିନିଂ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ଇବୋଲା ସଂକ୍ରମିତ ଚିହ୍ନଟ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ।
ସୂଚନାନୁସାରେ, ଇବୋଲା ଭାଇରସରେ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ଆଫ୍ରିକୀୟ ଦେଶ ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ବିରଳ ପ୍ରଜାତି ଭାଇରସ୍ । ଏହି ଭାଇରସ ସଂକ୍ରମଣରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଜଣେ ଆମେରିକୀୟ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଇବୋଲା ଭାଇରସ୍ ପ୍ରକୋପ କଙ୍ଗୋ ସହ ଦେଶ ପଡ଼ୋଶୀ ଉଗାଣ୍ଡାରେ ବ୍ୟାପିବାରେ ଲାଗିଛି। ଏହି ପ୍ରକୋପକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ’ହୁ’। ଇଟୁରି ଏବଂ ଉତ୍ତର କିଭୁ ପ୍ରଦେଶରେ ୩ ଶହରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୃତ୍ୟୁ ରିପୋର୍ଟ ଆସିଛି ।



