ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୂଚନା ଲିକ୍ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭିଭିଆଇପିଙ୍କ ଗସ୍ତ ନେଇ ସୋସିଆଲ ମିଡିଆରେ ସେୟାର କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ପାଇଁ କଡ଼ା ସତର୍କତା ଜାରି କରାଯାଇଛି । ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଏସ୍ପି, ଡିଜି ଓ ଆଇଜି ଅଫ ପୋଲିସ ସହ ଗୁପ୍ତଚର ବିଭାଗକୁ ଏହି ନିର୍ଦ୍ଦେଶ ପଠାଯାଇଛି ।
ଭିଭିଆଇପିଙ୍କ ମିନିଟ-ଟୁ-ମିନିଟ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ ଅନଧିକୃତ ଭାବେ ସେୟାର ହେଲେ ଗୁରୁତର ସୁରକ୍ଷା ତ୍ରୁଟି ସୃଷ୍ଟି ହେବ ବୋଲି ସରକାର ସଚେତନ କରିଛନ୍ତି । ଭିଭିଆଇପିଙ୍କ ଗସ୍ତ ସମୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ରୁଟ୍ ଓ ଅନ୍ୟାନ୍ୟ ଅପରେସନାଲ୍ ସୂଚନାକୁ ଅତ୍ୟନ୍ତ ଗୋପନୀୟ ଭାବେ ପରିଚାଳନା କରିବାକୁ କୁହାଯାଇଛି । ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍ ହେଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଗୃହ ବିଭାଗ ସ୍ପଷ୍ଟ କରିଛି ଯେ, ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯଦି ଭିଭିଆଇପି ଗସ୍ତ ସମ୍ପର୍କିତ ସୂଚନା ସେୟାର କରନ୍ତି କିମ୍ବା ଲିକ୍ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ।
ଏହା ସହିତ ସମସ୍ତ ବିଭାଗକୁ ଆଭ୍ୟନ୍ତରୀଣ ନିରୀକ୍ଷଣ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବାକୁ ଏବଂ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଆଗାମୀ ଦିନରେ ଏପରି ଘଟଣା ରୋକିବା ପାଇଁ ପ୍ରଶାସନ ଅଧିକ ସତର୍କ ରହିବ ବୋଲି ସୂଚନା ମିଳିଛି।



