ବେଆଇନ ହୁକ୍କା ବାର ଚଳାଇଲେ କଡା କାର୍ଯ୍ୟାନୁଷ୍ଠାନ - ଡିସିପି

ବେଆଇନ ହୁକ୍କା ବାର ଚଳାଇଲେ କଡା କାର୍ଯ୍ୟାନୁଷ୍ଠାନ - ଡିସିପି
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ଚାଲିଥିବା ବେଆଇନ ହୁକ୍କା ବାର୍‌ଗୁଡ଼ିକ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଭୁବନେଶ୍ୱର ଡିସିପି ଶ୍ରବଣା ବିବେକ ଏମ.ଙ୍କ ନିର୍ଦେଶ କ୍ରମେ ରାଜଧାନୀର ବିଭିନ୍ନ ପବ୍‌, ବାର୍‌ ଓ କ୍ଲବ୍‌ରେ ଚଢ଼ାଉ ଅଭିଯାନକୁ କଡାକଡି କରାଯାଇଛି । ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ହୁକ୍କା ବାର ଚଳାଉଥିବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କ ବିରୋଧରେ ସିଧାସଳଖ ଅପରାଧିକ ମାମଲା ରୁଜୁ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜଣେ ଟେଲି  ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ ।  

କମିଶନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍‌ରେ ରାଜଧାନୀର ବିଭିନ୍ନ କାଫେ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇ ୩୫ରୁ ଅଧିକ ହୁକ୍କା ଜବତ କରାଯାଇଛି । ପ୍ରଥମେ ସମ୍ପୃକ୍ତ କାଫେ ମାଲିକଙ୍କୁ ନୋଟିସ୍‌ ଜାରି କରାଯିବ। ଏହାପରେ ପିଆର୍‌ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ପୁଣିଥରେ ବେଆଇନ ହୁକ୍କା ଚାଲୁଥିବା ଧରାପଡ଼ିଲେ କ୍ରିମିନାଲ କେସ୍‌ ରୁଜୁ ହେବ। ହୁକ୍କା କାଫେ ଉପରେ ନିୟମିତ ଚଢ଼ାଉ ଜାରି ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।

ଏହି କ୍ରମରେ ସହିଦନଗର ଥାନା ପୁଲିସ ବିଏମ୍‌ସି ମଲ୍‌ରେ ଥିବା ଦୁଇଟି ବାର୍‌ରେ ଚଢ଼ାଉ କରିଛି। ବିନା ଲାଇସେନ୍ସରେ ହୁକ୍କା ସେବନ ଚାଲିଥିବା ଅଭିଯୋଗରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପୁଲିସ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟାରେ ପୁଲିସ ଟିମ୍‌ ଭବାନୀ ମଲ୍‌ରେ ପହଞ୍ଚିଥିଲା । ବ୍ଲକ୍‌ ନଂ-୨ର ତୃତୀୟ ମହଲାରେ ଥିବା ‘ଦି ଡିଭାଇନ୍‌ ବାଇଟ୍‌’ରେ ଚଢ଼ାଉ ବେଳେ ଗ୍ରାହକଙ୍କ ଭିଡ଼ ଲାଗିଥିଲା । ଯୁବପିଢ଼ି ହୁକ୍କା ଟାଣୁଥିବା ଦେଖି ପୁଲିସ ଗ୍ରାହକଙ୍କୁ ବାର୍‌ରୁ ହଟାଇବା ସହ ହୁକ୍କା ଜବତ କରିଥିଲା । ଏହାପରେ ତୃତୀୟ ମହଲାରେ ଥିବା ‘ଇଥୋସି କ୍ଲବ୍‌ ଆଣ୍ଡ ଲାଉଞ୍ଜ୍‌’ରେ ମଧ୍ୟ ଚଢ଼ାଉ କରାଯାଇଥିଲା । ସେଠାରୁ ୪ରୁ ୫ଟି ହୁକ୍କା ଜବତ କରିବା ସହ ବେଆଇନ କାର୍ଯ୍ୟରୁ ଦୂରେଇ ରହିବାକୁ କ୍ଲବ୍‌ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଥିଲା ପୁଲିସ ।

କେବଳ ସହିଦନଗର ନୁହେଁ, ଅନ୍ୟ ଅଞ୍ଚଳରେ ମଧ୍ୟ ଯାଞ୍ଚ ଜୋରଦାର ହୋଇଛି । ହୁକ୍କାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଓ ନିକୋଟିନ ଯୁକ୍ତ ଦ୍ରବ୍ୟ ବିକ୍ରି ଉପରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଉଛି ଏବଂ ଏଗୁଡ଼ିକ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରାଯିବ ।

 

Tags: