ଏସଟିଏଫ୍ ଚୋରା ଚାଲାଣ ମାମଲାରେ ଟେର ପାଉନି ଟାନ୍ଏସଟିଏଫ୍ , ଖସିଗଲେ ବାପା-ପୁଅ
ଭୁବନେଶ୍ୱର : ଓଡ଼ିଶାରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ ମାଷ୍ଟରମାଇଣ୍ଡ ଦୀଘାର ହୋଟେଲ ମାଲିକ ବାପା ଓ ପୁଅ । ପଶ୍ଚିମବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍ ହେରିଟେଜ୍ ହୋଟେଲର ମାଲିକ ତଥା ହାଓଡା ଆନ୍ଦୋଳ ଅଞ୍ଚଳର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ହିଁ ଏହି ପ୍ରାଣୀ ଚୋରା ଚାଲାଣର ମାଷ୍ଟରମାଇଣ୍ଡ୍ । ଏନେଇ ଜାଣିବାକୁ ପାଇଛି ତଦନ୍ତକାରୀ ଦଳ ଏସ୍ଟିଏଫ୍ । ଘଟଣା ତଦନ୍ତ ଜୋର ଧରିବାବେଳେ ଫେରାର ହୋଇଯାଇଛନ୍ତି ଉଭୟ ବାପ-ପୁଅ । ବାପା-ପୁଅ ଦୁହେଁ ଗଳାବାଟ ଦେଇ ବାଂଲାଦେଶ କିମ୍ବା ନେପାଳକୁ ପଳାଇଥିବା ଅନୁମାନ କରାଯାଉଛି ।
ରବିବାର ହୋଟେଲ ମାଲିକ ଜୟନ୍ତଙ୍କ ସ୍ତ୍ରୀ ଓ ଝିଅ ଙ୍କୁ ୫ଘଣ୍ଟା ଧରି ଜେରା କରିଛି ଏସ୍ଟିଏଫ୍। ଜୟନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ୪ ମାସ ପୂର୍ବରୁ ଜୟନ୍ତ ଦୀଘାରେ ହୋଟେଲ ଖୋଲି ବନ୍ୟପ୍ରାଣୀ ଚୋରାଚାଲାଣ ପାଇଁ ଡିଲ୍ କରୁଥିଲେ । ସେହିପରି ତାଙ୍କ ପୁଅ ସୌମ୍ୟଦୀପଙ୍କ ନାମରେ ମଧ୍ୟ ପୂର୍ବରୁ ବିଭିନ୍ନ ଆପରାଧିକ ମାମଲା ଥିବା ଜଣାପଡ଼ିଛି। ଏକ ମାମଲାରେ ୟୁପି ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତେଣୁ ଫେରାର ଉଭୟ ବାପପୁଅ ଓ ଫାର୍ମ ହାଉସ ମାଲିକଙ୍କୁ ଧରିବା ତଦନ୍ତକାରୀ ଅଧିକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।
ଶ୍ରୀ ଜୟନ୍ତ ମାଇତିଙ୍କ ଦୀଘାରେ ଥିବା ହୋଟେଲରେ ଗତ ଗୁରୁବାରଠାରୁ ତାଲା ପଡ଼ିଛି । ସୋମବାର ରାତିରେ ସେଠାରେ କ’ଣ ଘଟିଥିଲା?ଗୁରୁବାର ପୂର୍ବରୁ ହୋଟେଲରେ କାହିଁ କି ଘନଘନ ଯାଞ୍ଚ କରାଯାଇଥିଲା?ସେନେଇ ମଧ୍ୟ କେହି କିଛି କହୁନାହାନ୍ତି। ସିସିଟିଭି ଫୁଟେଜ୍ରୁ ସେତେଟା ପ୍ରମାଣ ନ ମିଳିଥିବାରୁ ଏସଟିଏଫ୍ ମଧ୍ୟ ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି ।ହୋଟେଲ ସାମ୍ନାରେ ଧଳାକାରରୁ ଓରାଙ୍ଗଉଟାନ୍ ଭର୍ତ୍ତି ବାକ୍ସକୁ ରହସ୍ୟମୟ ଥର୍ ଗାଡ଼ିରେ ରଖାଯାଇଥିଲା କି?ତାହା ମଧ୍ୟ ସ୍ପଷ୍ଟ କରୁନି ଏସଟିଏଫ୍ । କୋଲକାତା ପୁଲିସ ଜାଣିବାକୁ ପାଇଛି ଯେ,ଶ୍ରୀ ମାଇତିଙ୍କ ଜଣେ ସମ୍ପର୍କୀୟ ଭାଇ ଅଭିଜିତ୍ ଉକ୍ତ ହୋଟେଲର ବ୍ୟବସାୟିକ ପାର୍ଟନର ଅଛନ୍ତି। ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ହାୱଡ଼ା ଅଞ୍ଚଳରୁ ଅଭିଜିତଙ୍କୁ ଦୀଘାକୁ ଅଣାଯାଇ ହୋଟେଲରେ ଛାନ୍ଭିନ୍ କରାଯାଇଛି। ପଶ୍ଚିମବଙ୍ଗ ପୁଲିସ ଓ ଏସଟିଏଫ୍ ଏପର୍ଯ୍ୟନ୍ତ ଦୀଘାରେ ପ୍ରାୟ ୫୦ରୁ ଅଧିକ ହୋଟେଲରେ ଯାଞ୍ଚ କରିସାରିଲାଣି।ଆଉ ଦିନେ କି ଦୁଇ ଦିନ ଭିତରେ ଶାବକଗୁଡ଼ିକର ଡିଏନଏ ପରୀକ୍ଷା କରାଯିବ।




