୨୨ ନଭେମ୍ବରରେ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ଉତ୍ସବ
*୨୨ ନଭେମ୍ବରରେ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀ ୧୨୫ତମ ଜୟନ୍ତୀ ଉତ୍ସବ* ,*ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ କୁମାର ପ୍ରଶାନ୍ତ*
ଭୁବନେଶ୍ୱର : ତ୍ୟାଗ, ତପସ୍ୟା, ସରଳତା ଓ ଜନସେବାର ଅନନ୍ୟ ପ୍ରତୀକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା ଶାଖା ପକ୍ଷରୁ ଏକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଆସନ୍ତା ୨୨ ନଭେମ୍ବର ୨୦୨୬ ରିଖ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ଦେଶର ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ‘ରାଷ୍ଟ୍ରୀୟ ଏକତାରେ ନବକୃଷ୍ଣଙ୍କ ଭୂମିକା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ।
ନବକୃଷ୍ଣ ଚୌଧୁରୀ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ମାଟି ଓ ମଣିଷର ନେତା । କ୍ଷମତାର ମୋହ, ପଦପଦବୀର ଆକର୍ଷଣ ଓ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହି ସେ ନିଜ ଜୀବନକୁ ଜନସାଧାରଣଙ୍କ କଲ୍ୟାଣ ଓ ସାମାଜିକ ପରିବର୍ତ୍ତନ ପାଇଁ ସମର୍ପିତ କରିଥିଲେ । ତାଙ୍କର ମାନବିକ ଦୃଷ୍ଟିଭଙ୍ଗୀ, ସାମାଜିକ ନ୍ୟାୟ ପ୍ରତି ନିଷ୍ଠା ଓ ଗାନ୍ଧୀବାଦୀ ଜୀବନଦର୍ଶନ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ବର୍ତ୍ତମାନ ସମୟରେ ସାମାଜିକ ସଦ୍ଭାବ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଜାତୀୟ ଏକତାକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ । ଏଭଳି ଏକ ସମୟରେ ନବକୃଷ୍ଣ ଚୌଧୁରୀଙ୍କ ଜୀବନ, ଆଦର୍ଶ ଓ ଚିନ୍ତାଧାରାକୁ ପୁନଃ ଆଲୋଚନା କରିବାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ଶ୍ରୀ କୁମାର ପ୍ରଶାନ୍ତଙ୍କ ବକ୍ତୃତା ଏହି ଦିଗରେ ଏକ ଅର୍ଥପୂର୍ଣ୍ଣ ବିଚାରବିମର୍ଶର ଅବସର ସୃଷ୍ଟି କରିବ ।
ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ଗାନ୍ଧୀବାଦୀ, ସର୍ବୋଦୟ କର୍ମୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରାଜନୈତିକ କର୍ମୀ, ଯୁବକ, ଛାତ୍ରଛାତ୍ରୀ ତଥା ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶରେ ବିଶ୍ୱାସ ରଖୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଯୋଗଦେବା ପାଇଁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା ଶାଖା ପକ୍ଷରୁ ଆହ୍ୱାନ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ରାଜ୍ୟ ସଂଯୋଜକ ଡଃ. ବିଶ୍ୱଜିତ, ସାଧାରଣ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଜ୍ୟ ସଂଗଠନ ସମ୍ପାଦକ ହରିହର ସେନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗଦେବା ପାଇଁ ନିବେଦନ କରିଛନ୍ତି। ଏଥିସହିତ ଅନୁଗୋଳସ୍ଥିତ କର୍ମଭୂମିରେ ୨୩ରୁ ୨୫ ନଭେମ୍ବର ଯାଏ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।




