ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ଖୁବ ଶୀଘ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର । ଓଡ଼ିଶାର କୋଣ ଅନୁକୋଣରୁ ଜଗା ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ୬୦ ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳା ଜଗନ୍ନାଥ ଦର୍ଶନ କରିବେ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ଚିଠି ଲେଖିଛି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଯୋଜାନ ୨୦୨୫ରୁ ଆରମ୍ଭ ହୋଇଥିବାବେଳେ ୨୦୨୮-୨୯ ଯାଏଁ ଚାଲିବ । ୪ ବର୍ଷରେ ୧.୨୦ ଲକ୍ଷ ରାଜ୍ୟବାସୀଙ୍କୁ ସରକାର ଜଗାଦର୍ଶନ କରାଇବାକୁ ଲକ୍ଷ୍ୟ ରଖିଛନ୍ତି । ତୀର୍ଥଯାତ୍ରୀମାନେ ପୁରୀ ବାହାରିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଏହାସହିତ ଯାତ୍ରା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଯାତ୍ରା ସମୟରେ ଆବଶ୍ୟକ ପଡୁଥିବା କିଛି ସାମଗ୍ରୀ ଯେପରି ତଉଲିଆ, ଟୋପି, ହାପ୍ ଜ୍ୟାକେଟ୍ ପାଣି ବୋତଲ, ଟଏଲେଟ୍ ପାଉଚ୍ ଆଦି ଦିଆଯିବ । ଯାତ୍ରୀଙ୍କ ଚିହ୍ନଟ ଲାଗି ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିବେ ସରକାର ।
ସେହିପରି ଯାତ୍ରା ସମୟରେ ସେମାନଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଆଦି ପ୍ରଦାନ କରାଯିବ । ଯାତ୍ରୀ ମଝିରେ ଆବଶ୍ୟକ ପଡ଼ିଲେ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା କରିବେ ସରକାର । ଯୋଗ୍ୟ ହିତାଧିକାରୀ ୬୦-୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାମାନଙ୍କୁ ପେନସନ ଯୋଜନାରେ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରାଯାଇଛି । ଅଂଶଗ୍ରହଣ କରିବା ପାଇଁ ସମ୍ମତି ବାଧ୍ୟତାମୂଳକ।
୧୫ ଜାନୁଆରୀ ୨୦୨୬ରେ ପେନସନ ବଣ୍ଟନ ଦିବସରେ ସମ୍ମତି ସଂଗ୍ରହ ପାଇଁ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ, ଅଧିକାଂଶ ଜିଲ୍ଲାରେ ପ୍ରଗତି ସନ୍ତୋଷଜନକ ନୁହେଁ । ୨୦୨୫-୨୬ ଆର୍ଥିକ ବର୍ଷରେ ୫,୦୦୦ ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ୩୦,୦୦୦ ହିତାଧିକାରୀଙ୍କ ପାଇଁ ରାଜ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ, ଜିଲ୍ଲା ପ୍ରଶାସନ, DSSO ଏବଂ ପର୍ଯ୍ୟଟନ ବିକାଶ ଅଧିକାରୀମାନଙ୍କୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।



