ପିଏମ ଆବାସ ଯୋଜନାରେ ଘର ପଞ୍ଜିକରଣ ଶୁଳ୍କ କମାଇବେ ରାଜ୍ୟ ସରକାର

ପିଏମ ଆବାସ ଯୋଜନାରେ ଘର ପଞ୍ଜିକରଣ ଶୁଳ୍କ କମାଇବେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : ପିଏମ୍‌ ଆବାସ ଯୋଜନାରେ ସହରାରାଞ୍ଚଳ ହିତାଧିକାରୀଙ୍କୁ ବଡ଼ ଆଶ୍ବସ୍ତି । ରାଜ୍ୟ ସରକାର ପିଏମ୍‌ ଆବାସ ଯୋଜନାରେ ହିତାଧିକାରୀଙ୍କ ଘର ପଞ୍ଜୀକରଣ ଖର୍ଚ୍ଚକୁ ୧%ରୁ କମ୍‌ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯୋଜନା ଅଧୀନରେ ୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫି'କୁ ମିଶାଇ ମୋଟ ଦେୟକୁ ୧ ପ୍ରତିଶତରୁ କମ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖି ଆବଶ୍ୟକ ବିଜ୍ଞପ୍ତି ଓ ଆଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ୪୧ତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ PMAY- U 2.0 ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS)ର ହିତାଧିକାରୀମାନେ ଘର ପଞ୍ଜୀକରଣ ସମୟରେ ବଡ଼ ଆର୍ଥିକ ରିହାତି ପାଇବେ। ଏହା ଫଳରେ ସହରାଞ୍ଚଳରେ ସୁଲଭ ଆବାସ ଯୋଜନାର କାର୍ଯ୍ୟାନ୍ୱୟନ ଅଧିକ ତ୍ୱରାନ୍ୱିତ ହେବା ସହ ଘର ମାଲିକାନା ହାସଲ କରିବା ଆହୁରି ସହଜ ହେବବୋଲି ଆଶା କରାଯାଉଛି ।

Tags: