ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି
୭ ବରିଷ୍ଠ ଓଡିଆ ଆଇପିଏସଙ୍କୁ ରଥଯାତ୍ରା ଦାୟିତ୍ବ
ପୁରୀ: ଅଘଟଣମୁକ୍ତ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି । ରଥଯାତ୍ରା ବାବଦରେ ଵିଶେଷ ଅଭିଜ୍ଞତା ଥିବା ୭ ଜଣ ବରିଷ୍ଠ ଓଡିଆ ଆଇପିଏସ ଅଧକାରୀଙ୍କୁ ସୁପରିଚାଳନା ଦାୟିତ୍ଵ ଦିଆଯାଇଛି । ଗତବର୍ଷ ଅଘଟନର ପୁନରାବୃତି ନହେବାପାଇଁ ବରିଷ୍ଠ ଅଧିକାରୀ ମାନେ ପୁରୀ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଚଳିତ ବର୍ଷ ସମ୍ପୂର୍ଣ୍ଣ ପୁରୀ ସହରକୁ ଅତ୍ୟାଧୁନିକ ଏଆଇ କ୍ୟାମେରା ନଜରରେ ରଖାଯିବ।
ଉତ୍ତରା ଛକରୁ ପୁରୀ ପର୍ଯ୍ୟନ୍ତ ଏଆଇ ସିସିଟିଭି କ୍ୟାମେରା ଲାଗିବ । ଏହା ଦ୍ୱାରା ଯେଉଁ ସ୍ଥାନରେ ଭିଡ଼ ହେଉଛି ତାହା ଚିହ୍ନଟ କରାଯାଇ ସଙ୍ଗେ ସଙ୍ଗେ ଭିଡ଼ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଡ୍ରୋନ ମାଧ୍ୟମରେ ମଧ୍ୟ ଭିଡ଼ ନିୟନ୍ତ୍ରଣ କରାଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଛି। ତେବେ ବଡଦାଣ୍ଡରେ ଏଆଇ କ୍ୟାମେରା ଲଗାଯାଉଛି । ପୂର୍ବ ବର୍ଷ ୨୫୦ ରୁ ଅଧିକ ଏଆଇ କ୍ୟାମେରା ଲଗାଯାଇଥିଲା ।
ଏକାଧିକ ରାସ୍ତାକୁ ୱାନ ୱେ କରଯାଇଛି । ବଡଦାଣ୍ଡ ସହ ପ୍ରତ୍ୟେକ ଗଳିରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଲଗାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି । ଅନେକ ସମୟରେ ସବୁ ଗଳି ବନ୍ଦ କରିଦେବା ଫଳରେ ଗଳି ସବୁ ଜାମ୍ ହୋଇଯାଉଛି । ଏଣୁ ଏଥର ଭିଡ ନିୟନ୍ତ୍ରଣ ପାଇଁ ନୂଆ ବ୍ୟବସ୍ଥା ହେଉଛି । ବସଷ୍ଟାଣ୍ଡରୁ ବଡଦାଣ୍ଡ, ରେଳ ଷ୍ଟେସନ୍ରୁ ବଡଦାଣ୍ଡ, ବଡଦାଣ୍ଡରୁ ସମୁଦ୍ର ଭଳି ଗୁରୁତ୍ୱପୁର୍ଣ ରାସ୍ତାକୁ ଭିଡ଼ ମୁକ୍ତ କରିବାକୁ ଯୋଜନା ହୋଇଛି। ପାଦଚଲା ଘୋଷଣା ହେବାକୁ ଥିବା ରାସ୍ତାରେ କୌଣସି ଯିବାକୁ ଅନୁମତି ଦିଆଯିବ ନାହିଁ ।
ସୂଚନାନୁସାରେ, ଗତବର୍ଷ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହେଇଥିଲା। ପହୁଡ଼ ଫିଟିବା ନେଇ ଭକ୍ତଙ୍କୁ କୌଣସି ସୂଚନା ଆଗୁଆ ଦିଆଯାଇନଥିଲା । ହଠାତ୍ ପହୁଡ଼ ଫିଟିବାରୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇ ଅଘଟଣ ଘଟିଥିଲା । ଏଣୁ ଏଥର ରଥଯାତ୍ରାର ଟିକିନିଖି ତଥ୍ୟ ଲୋକଙ୍କୁ ପ୍ରତି ମିନିଟରେ ସୁଚନା ପ୍ରଦାନ କରିବା ପାଇଁ ପୁରୀ ସହର ସାରା ୬୫ ଟି ଏଲଇଡି ସ୍କ୍ରିନରେ ଭକ୍ତଙ୍କୁ ପ୍ରତ୍ୟେକ ସୂଚନା ପ୍ରଦାନ କରାଯିବ। ସେହିପରି ଏଥର ଏକ ନୂଆ ଚାରମାଳ ସେଟ୍ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ କରାଯାଇଛି । ମହାପ୍ରଭୁ ରଥ ଉପରେ ଥିବା ବେଳେ ମାଟିଆପଡ଼ା ଛକ ଓ ବଡ଼ଶଙ୍ଖ ଆଡୁ ଆସୁଥିବା ଭକ୍ତଙ୍କୁ ଏକାଧିକ ଧାଡି କରାଯାଇ ରଥ ସାମନା ଦେଇ ନାକଚଣା ଦୁଆର ସାମନାରେ ବାହାରିବା ବ୍ୟବସ୍ଥା ହେବ। ଏହି ବାଟ ଦେଇ ଫେରିବା ପାଇଁ ସୁଯୋଗ ଦିଆଯିବ ନାହିଁ।




