ଇଭି ପଲିସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି- ୨୦୨୧ର ଅବଧି ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
୨୦୨୧ରେ ଲାଗୁ ହୋଇଥିବା ଏହି ପଲିସିର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା, ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଇଭି ଓ ଏହାର ଯନ୍ତ୍ରାଂଶ ଉତ୍ପାଦନକୁ ପ୍ରୋତ୍ସାହିତ କରିବା । ଅବଧି ବୃଦ୍ଧି ହେବା ଦ୍ୱାରା ଇଲେକ୍ଟ୍ରିକ୍ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମିଳିବ ।
କେବଳ ଗ୍ରାହକ ନୁହେଁ, ଇଭି ଉତ୍ପାଦନକାରୀ ସଂସ୍ଥାମାନେ ମଧ୍ୟ ଏହି ପଲିସି ଅଧୀନରେ ବିଭିନ୍ନ ପ୍ରୋତ୍ସାହନ ପାଇବେ। ଉତ୍ପାଦନ ଶିଳ୍ପ ପାଇଁ ଆର୍ଥିକ ସହାୟତା, ପୁରୁଣା ଯାନ ସ୍କ୍ରାପିଂ ପ୍ରୋତ୍ସାହନ, ଋଣ ଉପରେ ସୁଧ ରିହାତି ଭଳି ସୁବିଧା ମଧ୍ୟ ଜାରି ରହିବ।




