ଚାଉଳର ମିଲିଂ ଖର୍ଚ୍ଚ ୨ଗୁଣା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ଵର : ୨ଗୁଣା ବୃଦ୍ଧି ହେଲା ଚାଉଳର ମିଲିଂ ଖର୍ଚ୍ଚ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର (Parboiled Rice)ମିଲିଂ ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର (Raw Rice)ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହା ସହିତ ପଡ଼ୋଶୀ ଓ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମିଲିଂ ଦର ବହୁତ କମ୍ ଥିଲା ଯାହାକୁ ନେଇ ମିଲରମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଏହି ନିଷ୍ପତ୍ତି ଦ୍ୱାରା ମିଲରମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହେବ।
ସୂଚନାନୁସାରେ, ,ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ,ପେଟ୍ରୋଲ ଓ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଆମ ରାଜ୍ୟ ଠାରୁ ଯଥେଷ୍ଟ ଅଧିକ ରହିଛି ।



