ସେବାକର ଉଚ୍ଛେଦ କଲେ ରାଜ୍ୟ ସରକାର

ସେବାକର ଉଚ୍ଛେଦ କଲେ ରାଜ୍ୟ ସରକାର
Samaya Live News Picture
Published On

ଭୁବନେଶ୍ୱର : କର୍ମଜୀବୀ ଏବଂ ଵ୍ୟଵସାୟୀଙ୍କ ପାଇଁ ସରକାରଙ୍କ ବଡ଼ ସହାୟତା ।  ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ବୃତ୍ତି କର ସଂଗ୍ରହ କରାଯିବ ନାହିଁ । ୨୦୨୬-୨୭ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ସେବା କର( ପ୍ରଫେସନାଲ ଟ୍ୟାକ୍ସ) ଉଚ୍ଛେଦ ନେଇ ସରକାର ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । 

ଓଡ଼ିଶା ବିଧାନସଭାର ଅଧିବେଶନ ଏବେ ଚାଲୁ ନଥିବାରୁ, ଭାରତୀୟ ସମ୍ବିଧାନର ଧାରା ୨୧୩  (୧) ଅନୁଯାୟୀ ମିଳିଥିବା କ୍ଷମତା ପ୍ରୟୋଗ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ନୂଆ ନିୟମ ୨୦୨୬ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଅର୍ଥାତ ଚଳିତ ଆର୍ଥକ ବର୍ଷର ଆରମ୍ଭରୁ ହିଁ ପ୍ରଫେସନାଲ ଟ୍ୟାକ୍ସ ବା ବୃତ୍ତି କର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

ଅନୁରୂପ ଭାବେ ସମସ୍ତ ଘରୋଇ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଚଳିତ ମାସ ୧ରୁ ଏହି ନିୟମ ଲାଗୁ ହେବ। ଚଳିତ ଆର୍ଥିକ ବର୍ଷରୁ ବୃତ୍ତି କର ବନ୍ଦ ହେବା ନେଇ ଗତ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଘୋଷଣା କରି କହିଥିଲେ ଯେ, ପ୍ରାକ୍ ବଜେଟ ଆଲୋଚନା ବେଳେ ଲୋକଙ୍କ ପକ୍ଷରୁ ବୃତ୍ତି କର ଉଚ୍ଛେଦ ପାଇଁ ପ୍ରସ୍ତାବ ଆସିଥିଲା। କର୍ମଜୀବୀମାନେ ସରକାରଙ୍କୁ ଆୟକର ଦେଉଥିବା ବେଳେ ବୃତ୍ତିଗତ କର ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉ ଥିଲା। ତେଣୁ ଏହାକୁ ବିଚାର କରି ସରକାର ବୃତ୍ତିଗତ କର ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Tags: