ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ
ଭିସି ମାଧ୍ୟମରେ ଯୋଡି ହେଲେ ସମସ୍ତ ଜିଲ୍ଲାପାଳ
ଭୁବନେଶ୍ୱର : ପାଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ଦେଖାଦେଇଛି ତତ୍ପରତା । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ଡ଼କାଇଛନ୍ତି ବଡ଼ ବୈଠକ । ଭିସି ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ମାନେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ଓସ୍ ୱାନ୍ ପ୍ଲାଟଫର୍ମ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ୨୦୨୭ ମସିହାର ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଖସଡ଼ା ଭୋଟର ତାଲିକା, ନିର୍ବାଚନୀ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଏବଂ ବିଭିନ୍ନ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ରାଜ୍ୟ ନିର୍ବାଚନ କମିଶନଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକ ଦିଗନିର୍ଦ୍ଦେଶ ଦେଇଥିବାବେଳେ, ସମସ୍ତ କାର୍ଯ୍ୟକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ସ୍ଥାନୀୟ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଏହି ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ସେପଟେ, ଭୋଟର ତାଲିକା ତ୍ରୁଟିମୁକ୍ତ କରିବା ପାଇଁ ଏସ୍ ଇସିଙ୍କ ବଡ଼ ନିର୍ଦ୍ଦେଶ । ୨୦୨୭ରେ ହେବାକୁ ଥିବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ପାଇଁ ନିର୍ଭୁଲ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଘରକୁ ଘର ସର୍ବେକ୍ଷଣ କରାଯିବ । ଏହାର ରୂପରେଖା ଚୂଡ଼ାନ୍ତ କରିବାକୁ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ପ୍ରସ୍ତାବିତ ଘରକୁ ଘର ସର୍ବେକ୍ଷଣ, ନୂତନ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଏବଂ ତୃଣମୂଳସ୍ତରରେ ଭୋଟରଙ୍କ ତଥ୍ୟ ଯାଞ୍ଚ ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା ।




