ସେପ୍ଟେମ୍ବର ୨କୁ ଘୁଞ୍ଚିଲା ରାଜ୍ୟ ଡିଜିପି ଚୟନ ଶୁଣାଣି
ଭୁବନେଶ୍ୱର : ସୁପ୍ରିମ କୋର୍ଟରେ ପହଞ୍ଚିଛି ରାଜ୍ୟର ଡିଜିପି ଚୟନ ମାମଲା । ଆଜି ବନ୍ଦ ଲଫାପାରେ ସୁପ୍ରିମ କୋର୍ଟରେ ପକ୍ଷ ରଖିଛନ୍ତି ଓଡିଶା ସରକାର । ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଡିଜିପି ଚୟନ ନେଇ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ।
ସୂଚନାନୁସାରେ , ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଓ୍ବାଇ. ବି. ଖୁରାନିଆ ଡିଜିପି ପଦରୁ ଅବସର ନେଇଥିବା ସତ୍ତ୍ୱେ ଓଡ଼ିଶାକୁ ସ୍ଥାୟୀ ଡିଜିପି ମିଳିପାରିନାହାନ୍ତି । ଏନେଇ ସୁପ୍ରିମକୋର୍ଟରେ ମାମଲା ଥିବା କାରଣରୁ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ରାଜ୍ୟର ପୋଲିସ୍ ମୁଖ୍ୟ ଭାବେ ଅତିରିକ୍ତ ଦାଯିତ୍ୱ ମିଳିଛି ।
ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖ୍ୟ ଚୟନ ପ୍ରକ୍ରିୟାର ଏକ ଅଂଶ ଭାବରେ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱାଙ୍କୁ ସମ୍ପ୍ରତି ଡିଜିପି ପଦବୀକୁ ପଦୋନ୍ନତି ଦିଆଯିବା ପରେ ବିବାଦ ତୀବ୍ର ହୋଇଥିଲା। ତାଲିକାରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ , ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଆରପି କୋଚେ ଏବଂ ୧୯୯୪ ବ୍ୟାଚ୍ ଅଧିକାରୀ ସୁଶାନ୍ତ ନାଥଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଗତ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆମିକସକ୍ୟୁରୀ ରାଜୁ ରାମଚନ୍ଦ୍ରନ ଡିଜିପି ଚୟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ପିଆଇଏଲ୍ ଫାଇଲ କରିଥିବା ଆବେଦନକାରୀଙ୍କୁ ସମର୍ଥନ କରିଥିଲେ। ଓଡ଼ିଶା ସରକାର ଡିଜିପି ଚୟନ ସମୟରେ ସୁପ୍ରିମକୋର୍ଟଙ୍କ ୨୦୦୬ ପ୍ରକାଶ ସିଂ ମାମଲାର ରାୟକୁ ଠିକ୍ ଭାବେ ଅନୁପାଳନ କରି ନ ଥିବା କହିଥିଲେ। ଯେଉଁଥିଲାଗି ମାମଲାକୁ ସୁପ୍ରିମକୋର୍ଟ ଆହୁରି ଗୁରୁତ୍ୱର ସହ ବିଚାରକୁ ନେଇ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଥିଲେ।




