ଆଜିଠାରୁ ଗଡିବ ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ
ଆଜିଠାରୁ ଦୈନିକ ହେବ ବ୍ରହ୍ମପୁର ଉଧନା ଅମୃତ ଭାରତ ଟ୍ରେନ
ଭୁବନେଶ୍ବର : ଓଡିଶା ରେଳସେବା କ୍ଷେତ୍ରରେ ଯୋଡି ହେବ ନୂଆ ଅଧ୍ୟାୟ । ଆଜିଠାରୁ ଗଡ଼ିବ ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ (ନ .୦୮୪୦୯) ଏବଂ ବ୍ରହ୍ମପୁର-ସୁରଟ ଏକ୍ସପ୍ରେସ । ରାଜ୍ୟରେ ରେଳ ସଂଯୋଗୀକରଣର ସମ୍ପ୍ରସାରଣ ଏବଂ ଯାତ୍ରୀ ସେବାର ଗୁଣାତ୍ମକ ମାନରେ ଉନ୍ନତି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।
ଆଜି ମଧ୍ୟାହ୍ନ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୁଗ୍ମ ଭାବେ ଦୁଇଟି ନୂତନ ରେଳ ସେବାର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ସ୍ପେଶାଲ” ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ସ୍ପେଶାଲ” ଟ୍ରେନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯିବ।
ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯାତ୍ରୀବାହୀ ରେଳ ସେବା ଓଡ଼ିଶା ସହିତ ପଶ୍ଚିମ ଭାରତର ସଂଯୋଗୀକରଣକୁ ଯଥେଷ୍ଟ ଉନ୍ନତ କରିବ । ଏହାଦ୍ୱାରା ଯୋଗାଯୋଗ, ଯାତ୍ରୀ ସୁବିଧା, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ବ୍ୟାପକ ପ୍ରଗତି ହେବ ବୋଲି ଆଶା କରାଯାଉଛି ।
ପୁରୀ–କୋରାପୁଟ ଏକ୍ସପ୍ରେସ ପ୍ରଚଳନ ଦ୍ୱାରା ପୁରୀ ଏବଂ ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ହେବ । ଟ୍ରେନଟି ସପ୍ତାହକୁ ତିନିଦିନ ଚାଲିବ। ରେଳ ବିଭାଗର ଚିଠି ଅନୁଯାୟୀ ପୁରୀରୁ ସୋମବାର , ଗୁରୁବାର ଓ ଶନିବାର ବାହାରିବ ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ ବୋଲି ରେଲୱେ ବିଭାଗ ସ୍ପଷ୍ଟ କରିଛି । ଏହି ସ୍ପେସିଆଲ ଟ୍ରେନ ପୁରୀ ,ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା ଦେଇ ମୁନିଗୁଡା, ରାୟଗଡ଼ା ଦେଇ କୋରାପୁଟ ଦେଇ ଚାଲିବ । ଫଳରେ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ରେଳ ସଂଯୋଗୀକରଣ ଅଧିକ ସୁଦୃଢ଼ ହେବ ।
ସେପଟେ କିଛି ମାସ ପୂର୍ବରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଟ୍ରେନ ସପ୍ତାହକୁ ତିନି ଦିନ ଚାଲିଥୁଲା ପରେ ୫ ଦିନ ହେଲା ସୋମବାର ଠାରୁ ଦୈନିକ ଚାଲିବ ବୋଲି ରେଳବିଭାଗ ସ୍ପଷ୍ଟ କରିଛି । ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ପ୍ରମୁଖ ରାଜ୍ୟଗୁଡ଼ିକୁ ସେବା ଯୋଗାଇ ଆସୁଛି । ଏହି ଟ୍ରେନ୍ କୁ ପ୍ରତିଦିନ ଚଳାଚଳ କରିବା ଦ୍ୱାରା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଯାତ୍ରୀମାନଙ୍କର ସୁଗମ ଗତିବିଧି ସହଜ ହେବ ।




