ପୋଲିସ ଭବନରେ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଭୁବନେଶ୍ୱର ପୋଲିସ ଭବନରେ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା । ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତମାନଙ୍କୁ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ପ୍ରଶଂସାପତ୍ର ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ ।
ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ପ୍ରତିଭା, ଶୃଙ୍ଖଳା ଓ ଦୃଢ଼ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । କ୍ରୀଡାବିତଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୋଲିସ ପାଇଁ ଗୌରବର ବିଷୟ ଏବଂ ସେମାନଙ୍କ ଏହି ସଫଳତା ଓଡ଼ିଶାର ଯୁବ ପିଢ଼ୀକୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ସେ କହିଥିଲେ।
ସୂଚନାନୁସାରେ , ନିକଟରେ ଆୟୋଜିତ ସର୍ବଭାରତୀୟ ପୋଲିସ ଓ ସିନିୟର ନ୍ୟାସନାଲ ଚାମ୍ପିୟନସିପ୍–୨୦୨୬ରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ରୋଇଂ ପ୍ରତିଯୋଗିତାରେ ରିତୁ କାଉଡି ଓ ସୋନାଲିକା ଦାସ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ। ସେହିପରି କ୍ୟାନୋଇଂ, କାୟାକିଂ, କରାଟେ ଏବଂ ଆଥଲେଟିକ୍ସ ମଧ୍ୟରେ ମଧ୍ୟ କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।



