+୨ ପରୀକ୍ଷାପାଇଁ ଜାରି ହେଲା ସ୍ୱତନ୍ତ୍ର ନିୟମାବଳୀ
ଭୁବନେଶ୍ୱର : +୨ ପରୀକ୍ଷା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରକାଶ ପାଇଛି । ଆସନ୍ତା ୧୮ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ସେଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ସମେତ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଉପରେ ଲାଗିଛି ରୋକ୍ । ପରୀକ୍ଷାର୍ଥୀ ପ୍ରବେଶପତ୍ର (ଆଡମିଟ୍ କାର୍ଡ) ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ଚଳିତ ଥର ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ମିଳିବ । ୩୨ ପୃଷ୍ଠା ବିଶିଷ୍ଟ ରହିବ ଉତ୍ତର ଖାତା । ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ବା ଆଡିସନାଲ ପେପର ଦିଆଯିବ ନାହିଁ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିପାରିବେ । ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ସୁଯୋଗ ମିଳିବନି । ଚଳିତଥର ୪ ସେଟ୍ର ପ୍ରଶ୍ନପତ୍ର ହେବ । ପରୀକ୍ଷା ପରିଚାଳନା ସମ୍ବନ୍ଧରେ ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ସ୍ବତନ୍ତ୍ର ନିୟମାବଳୀ ପ୍ରଦାନ କରାଯାଇଛି।



