ନନ୍ଦୋତ୍ସବ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର । ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସ୍ୱତନ୍ତ୍ର ନନ୍ଦୋତ୍ସବ ନୀତି । ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ ।
ଶୁକ୍ରବାର ମଧ୍ୟରାତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବକୀଙ୍କ ରୂପେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିଲେ । ରାତିରେ ଠାକୁରେ ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇ ବେଶ ବଢ଼ିଥିଲା । ପରେ ଧୋ ପଖାଳ ନୀତି ହୋଇ ପୂଜା ହୋଇଥିଲା । ଏକ ରୁପା ପଦ୍ମ ପାଖୁଡ଼ାର ମଣ୍ଡଳ ଉପର ପାଖୁଡ଼ାମାନଙ୍କରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଓ କୃଷ୍ଣଙ୍କ ନାମ ଲେଖାଯାଇଥିଲା । ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଯାଇଥିଲା । ଦୁଇଜଣ ସେବକ ଲୁଗା ଘୋଡ଼ିହୋଇ ଦେବକୀ ଓ ବସୁଦେବଙ୍କ ବେଶ ଧାରଣ କରିଥିଲେ ଏହାପରେ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ ହୋଇଥିଲା ।
ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି
ସେହିପରି ଆଜି ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ସାରା ଦେଶ । ଝଲସୁଛି ମଥୁରା, ବୃନ୍ଦାବନ। ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। କେବଳ ମଥୁରା ବୃନ୍ଦାବନ ନୁହେଁ, ଦ୍ୱାରକା, ସବୁଠି ପ୍ରବଳ ଭିଡ଼ । କୃଷ୍ଣଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି । ଭଜନ-କୀର୍ତ୍ତନ ଓ କୃଷ୍ଣ ନାମରେ ଭକ୍ତିମୟ ହୋଇଉଠିଛି ପରିବେଶ ।




