ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଜଗନ୍ନାଥ ଦର୍ଶନ ବ୍ୟବସ୍ଥା
ପୁରୀ : ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଶ୍ରମୀନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଓକାକ୍ ସହଯୋଗରେ ହେଉଥିବା ସୁବିଧା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି।
ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି । ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ୍ କୋଡ୍ ରହିଛି । ଏହି ୨ ପିନ୍ କୋଡକୁ ନେଇ ଓକାକକୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି । ଫଳରେ ପୁରୀବାସୀ ସେମାନଙ୍କ ଆଧାରକାର୍ଡ ଦେଖାଇ ଯିବା ସୁଗମ ହେବ। ମାତ୍ର ଯଦି ସେମାନେ ସେଥିରେ ବନ୍ଧୁବାନ୍ଧବଙ୍କୁ ନେବେ ତାହା ସମ୍ଭବ ହେବ ନାହିଁ ।
ସେହିପରି ,ତ୍ରୁଟି ଶୂନ୍ୟ ରଥଯାତ୍ରା ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର । ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୦ ହଜାର ପୋଲିସ ମୁତୟନ ରହିବେ । ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପୃଥ୍ବୀରାଜ କହିଛନ୍ତି ।




