ଲଘୁଚାପ ବର୍ଷାରେ ଦକ୍ଷିଣ ଓଡିଶା ପ୍ରଭାବିତ

ଲଘୁଚାପ ବର୍ଷାରେ ଦକ୍ଷିଣ ଓଡିଶା ପ୍ରଭାବିତ
Samaya Live News Picture
Published On

ଭୁବନେଶ୍ବର : ତୁହାକୁ ତୁହା ଲାଗି ରହିଛି ଲଘୁଚାପ ବର୍ଷା । ଆଜି ଛତିଶଗଡ଼ ମୁହାଁ ହୋଇଛି ଲଘୁଚାପ । ଫଳରେ ଦକ୍ଷିଣ ଓଡିଶା ଅଧିକ ପ୍ରଭାବିତ ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଲଘୁଚାପ କ୍ଷେତ୍ର । ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଦକ୍ଷିଣ ଛତିଶଗଡ଼ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ବେଶ୍ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ଓ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟର ଗତିବିଧି ଉପରେ ପାଣିପାଗ ବିଭାଗ ନଜର ରଖିଛି । 

ପ୍ରଥମ ଲଘୁଚାପ ଜନିତ ବର୍ଷାରେ ରାୟଗଡ଼ା ଓ ଗଜପତି ଜିଲ୍ଲା ପ୍ରଭାବିତ ହୋଇ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ, ଏବେ ଦ୍ୱିତୀୟ ଲଘୁଚାପ ମାଲକାନଗିରି ଜିଲ୍ଲାକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ଜିଲ୍ଲାରେ ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବାଲିମେଳା ଡ୍ୟାମ୍ ପାଖରେ ୨୧୯ ମିଲିମିଟର, ମାଲକାନଗିରିରେ ୧୯୨ ମିଲିମିଟର, ଚିତ୍ରକୋଣ୍ଡାରେ ୧୯୨ ମିଲିମିଟର, ଡାବୁଗାଁରେ ୧୩୫ ମିଲିମିଟର ବର୍ଷା ହୋଇଛି । ଫଳରେ କାଲିମେଳାରୁ ପଡ଼ିଆ ସହ ପଡ଼ୋଶୀ ଛତିଶଗଡ଼କୁ ଯାତାୟାତ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଜଣାପଡ଼ିଛି । ଏହାବ୍ୟତୀତ ଯାଜପୁର ଓ ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି ।

କୋଲାବ ସିଷ୍ଟମର ଉପର ମୁଣ୍ଡରେ ବର୍ଷା ପାଇଁ ଫ୍ଲାସ୍ ଫ୍ଲଡ୍ ମାଲକାନଗିରିରେ ଦେଖିବାକୁ ମିଳିଛି । ପୋଟେରୁ ବ୍ରିଜ୍ ଓ ପୋଡ଼ିଆ ବ୍ରିଜ୍ ଉପରେ ଦୁଇ ଫୁଟର ପାଣି ଚାଲିଛି । ସନ୍ଧ୍ୟା ସୁଦ୍ଧା ରାସ୍ତା ଏବଂ ବ୍ରିଜ୍ରୁ ପାଣି କମିଯିବ, ଯାତାୟତ ସ୍ୱାଭାବିକ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।

Tags: