ଖୁବ ଶୀଘ୍ର ଜାରି ହେବ ବନ୍ଦୋବସ୍ତ ସମ୍ପର୍କରେ ଏସଓପି - ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରୁ ହଟିବ ଜମିଦାରୀ ପ୍ରଥା। ଖୁବ ଶୀଘ୍ର ଜମି ଗୁଡିକର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ରାଙ୍କିଙ୍ଗ୍ କରାଯିବ। ଫଳରେ ବର୍ଷ ବର୍ଷ ଧରି ବେବନ୍ଦୋବସ୍ତ ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେଇପାରିବ । ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଜମିପଟ୍ଟାରେ ଥିବା ତ୍ରୁଟି ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ଟାର୍ଗେଟ୍ ଦିଆଯାଇଛି । ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ସହ ଜମି ରେକର୍ଡର ସଂଶୋଧନ ପ୍ରକ୍ରିୟାକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟରେ ବେବନ୍ଦୋବସ୍ତ ଜମିର ସମାଧାନ ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଏସଓପି ବା ମାର୍ଗଦର୍ଶିକା ପୁସ୍ତିକା ଜାରି କରିବାକୁ ନିଷ୍ପତ୍ତି ହୋଇଛି ।
ଗତବର୍ଷ ରାଜ୍ୟରେ ଥିବା ପ୍ରାୟ ୩୮ ହଜାର ଏକର ବେବନ୍ଦୋବସ୍ତ ଜମି ମଧ୍ୟରୁ ୭ ହଜାର ଏକର ଜମିର ଫଇସଲା କରାଯାଇଥିବାବେଳେ ବାକି ଥିବା ମାମଲାଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେବନ୍ଦୋବସ୍ତ ଜମିର ସେଟେଲମେଣ୍ଟ ପାଇଁ ବିଭିନ୍ନ ସମୟରେ ଜାରି ହୋଇଥିବା ସର୍କୁଲାର ଓ ନିର୍ଦ୍ଦେଶାବଳୀକୁ ସଂକଳିତ କରି ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଏସଓପି ପୁସ୍ତିକା ଜାରି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ଜମିପଟ୍ଟାରେ ସଂଶୋଧନକୁ ଗୁରୁତ୍ୱ ଦେଇ ରାଜସ୍ୱ ନିରୀକ୍ଷକମାନଙ୍କ ପାଇଁ ମାସିକ ୨୫୦ ରୁ ୩୦୦ ଖାତାର ସର୍ଭେ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜମିପଟ୍ଟାର ୨ ଖାନା ବା କଲମ୍ ୨ ସଂଶୋଧନକୁ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୬୨.୬୮ ଲକ୍ଷ ଖାତାର ସର୍ଭେ ହୋଇଥିବାବେଳେ ତନ୍ମଧ୍ୟରୁ ପ୍ରାୟ ୫୮.୮୦ ଲକ୍ଷ ରେକର୍ଡ଼୍ ସଂଶୋଧିତ ହେବା ସହ ସଠିକ୍ ମାଲିକାନା ସପକ୍ଷରେ ପଟ୍ଟା ଜାରି କରାଯାଇଛି l ରାଜ୍ୟରେ ସଫଳ ରାଜସ୍ୱ ପ୍ରଶାସନକୁ ସୁନିଶ୍ଚିତ କରିବା ନିମନ୍ତେ ଏଣିକି ପ୍ରତି ମାସରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ରାଙ୍କିଙ୍ଗ୍ କରାଯିବ। ଯେଉଁ ଜିଲ୍ଲା ଖରାପ ପ୍ରଦର୍ଶନ କରିବେ ସେଠାର ଅଫିସରମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




