ତୀର୍ଥ ଯାଇଥିବା ମା'ଙ୍କୁ ମୃତ ଦର୍ଶାଇ ଜମି ହଡପ କଲେ ପୁଅ

ତୀର୍ଥ ଯାଇଥିବା ମା'ଙ୍କୁ ମୃତ ଦର୍ଶାଇ ଜମି ହଡପ କଲେ ପୁଅ
Samaya Live News Picture
Published On

ଭଦ୍ରକ : ମରି ଗଲାଣି ମାନବିକତା । ଜମି ହଡପ ପାଇଁ ଜୀବିତ ମା'ଙ୍କୁ ମୃତ ଦର୍ଶାଇଲେ ଦୁଇ ପୁଅ ଓ ବାପା । ଭଦ୍ରକ ଧାମନଗର ହବିବନଗରରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହବିବନଗର ଅଞ୍ଚଳରେ ରହୁଥିବା ଆଇଶା ବିବି ହଜ କରିବାକୁ ଯାଇଥିବାବେଳେ ମା' ଙ୍କ ଅନୁପସ୍ଥିତିରେ ୨ପୁଅ ,ବୋହୁ ଏବଂ ସ୍ୱାମୀ ମିଶି ଷଡଯନ୍ତ୍ର କରି ଜମି ସବୁ ନିଜ ନାଁ କୁ କରି ନେଇଥିଲେ । ଏପରିକି ଆଇଶା ବିବିଙ୍କର ୬ ଝିଅକୁ ମଧ୍ୟ ଏନେଇ ପୁଅ ମାନେ କିଛି ଖବର ଦେଇ ନଥିଲେ । ଏଥିରେ ସ୍ଥାନୀୟ ଆରଆଇ ମଧ୍ୟ ସାମିଲ ଥିବାନେଇ ଭଦ୍ରକ ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଆଇଶା ବିବି । ଘଟଣାର ସଠିକ ତଦନ୍ତ କରାଯାଇ ଅଭିଯୁକ୍ତି ୨ ପୁଅ ବୋହୁ ଏବଂ ସ୍ୱାମୀଙ୍କ ସହିତ ଆରଆଇଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଧାମନଗର ଥାନା ହବିବନଗର ଅଞ୍ଚଳର ଆଈଶା ବିବି ୨୦୨୩ ମସିହାରେ ତୀର୍ଥଯାତ୍ରାରେ ଯାଇଥିବା ସମୟରେ ତାଙ୍କ ଦୁଇ ପୁଅ ମା’ଙ୍କର ପ୍ରାୟ ୪୦ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିବା ଦର୍ଶାଇ ସତ୍ୟପାଠ କରିଥିଲେ । ଏହାପରେ ସମ୍ପୃକ୍ତ ଆରଆଇ ପ୍ରକାଶ ମଲ୍ଲିକ ତଦନ୍ତ ନକରି ଆଈଶା ମୃତ ବୋଲି ରିପୋର୍ଟ ଦେଇଥିବା ଏବଂ ଉକ୍ତ ରିପୋର୍ଟ ଆଧାରରେ ଆଇଶାଙ୍କ ଘର ଓ ଜମି ଦୁଇ ପୁଅଙ୍କ ନାମରେ କରାଯାଇଥିଲା । ଘଟଣା ଜଣାପଡ଼ିବା ପରେ ଗତ ମାସ ୧୦ ତାରିଖରେ ଆଈଶା ଧାମନଗର ଥାନାରେ ସମ୍ପୃକ୍ତ ଧାମନଗର ଆରଆଇ ପ୍ରକାଶ ମଲ୍ଲିକ ଓ ତାଙ୍କ ଦୁଇ ପୁଅ, ବୋହୂ ଓ ସ୍ମାମୀଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଥିଲେ । ତେବେ ପୁଲିସ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଓ ଏତଲା ଗ୍ରହଣର ୧୮ଦିନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କି ମାମଲା ରୁଜୁ କରିନଥିବାର ଅଭିଯୋଗ ହୋଇଛି । ଆଈଶା କହିଛନ୍ତି, ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ମୃତ ଦର୍ଶାଇ ଜମି ଓ ଘର ହଡ଼ପ କରାଯାଇଛି । ତେଣୁ ତାଙ୍କ ସମ୍ପତ୍ତି ପୁନର୍ବାର ତାଙ୍କ ନାମରେ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି । 

ଘଟଣାର ଗୁରୁତ୍ତ୍ୱକୁ ଦୃଷ୍ଟିରେ ରଖି ଭଦ୍ରକ ଏସ୍‌ପି ମନୋଜ ରାଉତ ଦୁଇ ପୁଅଙ୍କୁ ଗିରଫ କରିବାକୁ ଧାମନଗର ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଆରଆଇ ପ୍ରକାଶ ମଲ୍ଲିକଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି ଓ ତାଙ୍କ ବିରୋଧରେ ମଧ୍ୟ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆଈଶାଙ୍କ ବଡ଼ ପୁଅ ସେକ୍‌ ତଫିକ୍‌ଙ୍କୁ ଧାମନଗର ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି । 

 

Tags: