ସ୍ବେରେଜ କାମ ଚାଲୁଥିବା ବେଳେ ଧସିଲା ମାଟି,ଅଳ୍ପକେ ବର୍ତ୍ତିଲେ ୨ ଶ୍ରମିକ
ସମ୍ବଲପୁର: ସ୍ବେରେଜ କାମ ଚାଲୁଥିବା ବେଳେ ଧସିଲା ମାଟି । ୨୦ ଫୁଟ ମାଟି ଖୋଳା ହୋଇଥିବାବେଳେ ଅତଡ଼ା ଧସି ପୋତି ହୋଇଗଲେ ୨ ଶ୍ରମିକ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୌଭାଗ୍ୟବଶତଃ କାର୍ଯ୍ୟରତ ଶ୍ରମିକମାନେ ସମ୍ପୂର୍ଣ୍ଣ ରୂପେ ମାଟି ତଳେ ପୋତି ହୋଇନଥିବାରୁ ଏକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ଘଟିଛି ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ରାସ୍ତାରେ । ସ୍ବେରେଜ ବୋର୍ଡ ପକ୍ଷରୁ କାମ ଚାଲୁଥିଲା ବେଳେ ଏହି ଅଘଟଣ ଘଟିଛି ।
ଆହତ ଶ୍ରମିକମାନେ ହେଲେ ରାଜସ୍ଥାନ ନଗୋର ଜିଲ୍ଲାର ମୁକେଶ ଓ ପ୍ରେମରାଓ l ସେମାନଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏସପି ମୁକେଶ କୁମାର ଭାମୁ , ଏସଏମସି କମିଶନର ଆହାତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ l ବର୍ତ୍ତମାନ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।



