ସୋସିଆଲ ମିଡିଆରେ ଅପଶବ୍ଦ ଉପରେ ଲାଗିବ ଅଙ୍କୁଶ
ଖୁବଶୀଘ୍ର ଆସିବ 'ଘୃଣ୍ୟ ଭାଷଣ ଏବଂ ଘୃଣ୍ୟ ଅପରାଧ ପ୍ରତିରୋଧକ ଆଇନ’
ଭୁବନେଶ୍ୱର : ସୋସିଆଲ ମିଡିଆ ଅପବ୍ୟବହାରରେ ଲାଗିବ ଅଙ୍କୁଶ । ସୋସିଆଲ ମିଡିଆରେ ଗାଳି ଦେଲେ କିମ୍ବା ଆକ୍ରୋଶମୂଳକ ଭାବରେ କାହା ନାଁରେ ଲେଖିଲେ ଜେଲରେ କଟିବ ଦିନ । ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି । ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ । ଆଜି ଓଡ଼ିଶା ରାଜ୍ୟ ଆଇନ ଆୟୋଗର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ,ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି । ଅନେକ ଲୋକ ନିଜ ସୀମା ଉଲ୍ଲଂଘନ କରି ଅପଶବ୍ଦ ବ୍ୟବହାର କରୁଛନ୍ତି, ଯାହା ସମାଜରେ ଖରାପ ପ୍ରଭାବ ପକାଉଛି ।ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର। ଏହାକୁ ରୋକିବା ପାଇଁ “Prevention of Hate Speech and Hate Crime Act” ଆଣିବାକୁ ପ୍ରସ୍ତାବ ରହିଛି।
ଏହି ଆଇନ ଲାଗୁ ହେଲେ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର କଲେ ଲୋକମାନେ ଆଇନର ଜାଲରେ ପଡିପାରିବେ । ଆଇନ କମିଶନ ମଧ୍ୟ ଏହି ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି, ଯାହା ଆଧାରରେ ଶୀଘ୍ର ନୂତନ ନିୟମ ଆସିପାରେ।
ବିଶେଷକରି ଯୁବପିଢ଼ି ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବା ବେଳେ, ଭାଷାର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଏହା କେବଳ ଆଇନର ପ୍ରଶ୍ନ ନୁହେଁ, ସମାଜିକ ଶିଷ୍ଟାଚାରର ମଧ୍ୟ ଅଂଶ । ଆଗାମୀ ଦିନରେ ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର କଲେ, ତାହାର ମୂଲ୍ୟ ଦେବାକୁ ପଡିବ।



