ଲବ କୁଶଙ୍କ ଜନ୍ମସ୍ଥାନ ସୀତାବିଞ୍ଜ
କଳା ଓ ଐତିହ୍ୟର ଜିଲ୍ଲା କେନ୍ଦୁଝରର ପ୍ରମୁଖ ପ୍ରତ୍ନତତ୍ୱସ୍ଥଳୀ ଭାବେ ପରିଚିତ ସୀତାବିଞ୍ଜର ଐତିହ୍ୟ ଅନନ୍ୟ । ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଏହାର ଇତିହାସ ମଧ୍ୟ ସେତିକି ରହସ୍ୟମୟ । ରାମାୟଣ ଅନୁସାରେ, ଏଠାରେ ବାଲ୍ମିକୀଙ୍କ ଆଶ୍ରମ ରହିଥିଲା ଓ ମାତା ସୀତା ଏଠାରେ ଶ୍ରୀରାମ ପୁତ୍ର ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ମାତା ସୀତାଙ୍କ ନାମ ଅନୁସାରେ ସ୍ଥାନର ନାମ ସୀତାବିଞ୍ଜ ହୋଇଛି । ତେବେ ପ୍ରକୃତିର ଆଦିମ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ […]
କଳା ଓ ଐତିହ୍ୟର ଜିଲ୍ଲା କେନ୍ଦୁଝରର ପ୍ରମୁଖ ପ୍ରତ୍ନତତ୍ୱସ୍ଥଳୀ ଭାବେ ପରିଚିତ ସୀତାବିଞ୍ଜର ଐତିହ୍ୟ ଅନନ୍ୟ । ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଏହାର ଇତିହାସ ମଧ୍ୟ ସେତିକି ରହସ୍ୟମୟ । ରାମାୟଣ ଅନୁସାରେ, ଏଠାରେ ବାଲ୍ମିକୀଙ୍କ ଆଶ୍ରମ ରହିଥିଲା ଓ ମାତା ସୀତା ଏଠାରେ ଶ୍ରୀରାମ ପୁତ୍ର ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ମାତା ସୀତାଙ୍କ ନାମ ଅନୁସାରେ ସ୍ଥାନର ନାମ ସୀତାବିଞ୍ଜ ହୋଇଛି । ତେବେ ପ୍ରକୃତିର ଆଦିମ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପ୍ରତ୍ନତତ୍ୱସ୍ଥଳୀଟି ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି ।
କିପରି ଯିବେ-
ସୀତାବିଞ୍ଜ ପର୍ଯ୍ୟଟନସ୍ଥଳ ସରକାରୀ ନଥିପତ୍ରରେ ଘଟଗାଁ ବ୍ଲକ୍ ମନୋହରପୁର ପଞ୍ଚାୟତର ଡାଙ୍ଗଆପଶି ରାଜସ୍ୱ ଗ୍ରାମରେ ରହିଛି । ୨୧୫ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟଗାଁ-କେନ୍ଦୁଝର ମଧ୍ୟବର୍ତ୍ତି କଟରାବେଡ଼ା ଛକରୁ ସୀତାବିଞ୍ଜର ଦୂରତା ମାତ୍ର ୬ କିଲୋମିଟର ହୋଇଥିଲା ବେଳେ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ୍ରେ ରେଳଯାତ୍ରୀମାନଙ୍କୁ ଏଠାକୁ ଆସିବା ପାଇଁ ସୀତାବିଞ୍ଜଠାରେ ରେଳଷ୍ଟେସନ ମଧ୍ୟ ରହିଛି ।

କିମ୍ବଦନ୍ତୀ କଥା-
ତ୍ରେତୟା ଯୁଗରେ ମାତା ସୀତା ଏଠାକାର ବାଲ୍ମିକୀ ଆଶ୍ରମରେ ରହିବା ସହିତ ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ଏହି ପର୍ଯ୍ୟଟନସ୍ଥଳୀକୁ ଲବ କୁଶଙ୍କ ଏନ୍ତୁଡ଼ିଶାଳ ମଧ୍ୟ କୁହାାଯଏ । ବୌଦ୍ଧ ପର୍ଯ୍ୟଟନ ପାଇଁ ସୀତାବିଞ୍ଜରେ ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି । ଏଠାରେ ଏକ ବୌଦ୍ଧବିହାର ଧ୍ୱସାଂବିଶେଷରୁ ଏହି ସ୍ଥାନ ସହିତ ଅତିତରେ ନାଳନ୍ଦା, ତକ୍ଷଶୀଳା ଭଳି ବିଶ୍ୱବିଦ୍ୟାଳୟର ସମ୍ବନ୍ଧ ଥିବାର ଅନୁମାନ କରାଯାଏ । ଏହା ସମ୍ବନ୍ଧିତ ହସ୍ତକଳା ଓ ହସ୍ତଲିପି ସୀତାବିଞ୍ଜଠାରେ ଥିବା କେତେକ ପ୍ରସ୍ତରରେ ରହିଛି ।

କେଉଁ ସ୍ଥାନ ବୁଲିବେ-
ସୀତାବିଞ୍ଜ ନିକଟରେ ରହିଛି ଐତିହାସିକ ରାବଣଛାୟା ପ୍ରାକୃତିକ ଆଶ୍ରସ୍ଥଳୀ । ଏଠାରେ ବାଲ୍ମିକୀ ଆଶ୍ରମର ଅନତି ଦୂରରେ ଏକ ପ୍ରସ୍ତରର ରହିଛି । ଏହି ପ୍ରସ୍ତରର ଦୁଇପାଶ୍ୱର୍ରେ ପଥର କବାଟ ଭଳି ଫାଟ ରହିଛି । ଯାହା କବାଟ ଭଳି ପ୍ରତୀୟମାନ ହେଉଥିବାରୁ ଏହାକୁ ଭଣ୍ଡାର ଘର ବୋଲି ଲୋକ କହିଥାନ୍ତି । ଏହି ଭଣ୍ଡାର ଘରକୁ ବହୁ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି । ଏହାଛଡ଼ା ସୀତାବିଞ୍ଜରେ ରହିଛି ଏକ ତଚୁର୍ମୂଖୀ ଶିବଲିଙ୍ଗ । ଏହି ଲିଙ୍ଗ ସମ୍ମୁଖରେ ନତମସ୍ତକ ଭାବେ ପ୍ରାଚୀନ ପ୍ରସ୍ତର ଯୁଗର ଏକ ହସ୍ତୀମୂର୍ତ୍ତି ରହିଛି । ସ୍ଥାନୀୟବାସୀଙ୍କ ମତରେ ଏହି ହସ୍ତୀ ଶିବଲିଙ୍ଗଙ୍କ ପରିକ୍ରମା କରିଥାଏ ।

ମାତା ସୀତାଙ୍କ ଏନ୍ତୁଡ଼ିଶାଳ, ଲବକୁଶଙ୍କ ପୀଠ, ରାବଣ ଛାୟା, ବାଲ୍ମିକୀ ଆଶ୍ରମ, ଭଣ୍ଡାର ଘର ଭଳି ମୋଟ୍ ସାତୋଟି ସ୍ଥଳକୁ ନେଇ ସୀତାବିଞ୍ଜ ପର୍ଯ୍ୟଟନସ୍ଥଳୀ କୁହାଯାଏ । ସୀତାବିଞ୍ଜରେ ଏକ ବୌଦ୍ଧ ବିହାର ଥିବାରୁ ଏଠାରେ ପାଳିତ ହେଉଥିବା ରଜପର୍ବକୁ ଗବେଷକମାନେ ‘ବିହାର ଯାତ୍ରା’ ବୋଲି କହିଥାନ୍ତି । ପ୍ରତିବର୍ଷ ରଥଯାତ୍ରା ସମୟରେ ଏଠାରେ ପ୍ରସିଦ୍ଧ ବିହାର ଯାତ୍ରା ବା ମେଳା ଚାଲିଥାଏ । ଏହି ମେଳା ପହିଲି ରଜଠାରୁ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ଜ୍ୟେଷ୍ଠ ଶେଷ ଓ ଆଷାଢ଼ ଆରମ୍ଭରେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏହି ମେଳାରେ କେନ୍ଦୁରଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ପର୍ଯ୍ୟଟକ ଏକତ୍ରିତ ହୋଇଥାନ୍ତି । ସେହି ଦିନରେ ଅଧିକ ପର୍ଯ୍ୟଟକଙ୍କ ସମାବେଶ ହେଉଥିବା କାରଣରୁ ମେଳାରେ ଅପେରା ଓ ମୀନା ବଜାର ପଡ଼ିଥାଏ । ଏହାସାଙ୍ଗକୁ କେନ୍ଦୁରଝର ପାରମ୍ପରିକ ବ୍ୟଞ୍ଜନର ଆସର ଜମିଥାଏ ।

ସୀତାବିଞ୍ଜରେ ଥିବା ମାତା ସୀତାଙ୍କ ମନ୍ଦିରରେ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ନିଃସନ୍ତାନ ଥିବା ମହିଳାମାନେ ସନ୍ତାନଟିଏ ପାଇଁ ଏଠାରେ ମାନସିକ କରିଥାନ୍ତି । ସନ୍ତାନ ପାଇଁ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କ ନିକଟରେ କେତେକ ଅଧିଆ ପଡ଼ିଥାନ୍ତି । ବିଶେଷ କରି ରଜସଂକ୍ରାନ୍ତି ଦିନ ନିଃସନ୍ତାନ ମହିିଳାମାନେ ମାତା ସୀତାଙ୍କ କରୁଣା ପାଇଁ ମାନସିକ କରି ଏଠାରେ ତିନି ଦିନ ରହିଣି କରିଥାନ୍ତି ।




