ସିସୋର ଚିଟ୍ଫଣ୍ଡ ମାମଲା,ରବୀନ୍ଦ୍ର ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି
ଭୁବନେଶ୍ୱର : ସିସୋର ଚିଟ୍ଫଣ୍ଡ ମାମଲାରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହି ଅନ୍ତରୀଣ ସୁରକ୍ଷା । ହାଇକୋର୍ଟ ୧୭ଟି ଦସ୍ତାବିଜ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସିବିଆଇ କୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି ରାଉତରାୟ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ଧାର୍ଯ୍ୟ କରାଯାଇଛି।
ଶୁଣାଣି ବେଳେ ଆବେଦନକାରୀ ରବୀନ୍ଦ୍ର କୁମାର ଜେନାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ତାଙ୍କ ଆବେଦନର ୫୮ ନମ୍ବର ଅନୁଚ୍ଛେଦରେ ଉଲ୍ଲେଖ ଥିବା ୧୭ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ ତାଙ୍କୁ ପ୍ରଦାନ କରାଯାଇନାହିଁ। ଏପରିକି ତଦନ୍ତ ସମୟରେ ଏହି ଦଲିଲଗୁଡିକ ସଂଗ୍ରହ କରାଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପଟେ ସିବିଆଇ ପକ୍ଷରୁ ଆଇନଜୀବୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ସିବିଆଇକୁ ପିଟିସନର ପାରା-୫୮ରେ ଦର୍ଶାଯାଇଥିବା ସମସ୍ତ ୧୭ଟି ଦଲିଲ ସମ୍ପର୍କରେ ଏକ ତାଲିକାବଦ୍ଧ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ସିସୋର ଗ୍ରୁପ୍ ରାଜ୍ୟର ହଜାର ହଜାର ସାଧାରଣ ନିବେଶକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ପ୍ରାୟ ୫୭୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ କରିଥିବା ଅଭିଯୋଗ ରହିଛି। ୨୦୧୪ ମସିହାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହି ମହାଦୁର୍ନୀତିର ତଦନ୍ତ ଭାର ଗ୍ରହଣ କରିଥିଲା। ଚିଟ୍ଫଣ୍ଡ ସଂସ୍ଥା ସିସୋର ଗ୍ରୁପ ସହ ଶ୍ରୀ ଜେନାଙ୍କ ଆର୍ଥିକ କାରବାର ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସିବିଆଇ ରବୀନ୍ଦ୍ର ଜେନାଙ୍କୁ ଏକାଧିକ ଥର ନୋଟିସ୍ କରିଥିଲା। ଏହି ନୋଟିସ୍କୁ ଚାଲେଞ୍ଜ କରି ଶ୍ରୀ ଜେନା ପ୍ରଥମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦେଶ ଦେଇଥିଲେ। ଏହି ଠକେଇ ମାମଲାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସମେତ ରାଜ୍ୟର ବହୁ ପ୍ରଭାବଶାଳୀ ରାଜନେତା, ଅମଲାତନ୍ତ୍ରୀ ଏବଂ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି।



