ମେ ୩୦ରୁ ରାଜ୍ୟରେ ଆରମ୍ଭ ହେବ SIR
ଭୋଟର ତାଲିକା ନିମନ୍ତେ ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଖୋଲିବ ହେଲ୍ପ ଡେସ୍କ
ଭୁବନେଶ୍ବର : ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR (ସ୍ପେଶାଲ ଇଣ୍ଟେନସିଭ ରିଭିଜନ) ବା ସ୍ବତନ୍ତ୍ର ସଘନ ସଂଶୋଧ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଏ ସଂପର୍କରେ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।
ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ । ବିଶେଷ କରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ।ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ମଇ ୨୫ ମଧ୍ୟରେ ହେଲ୍ପଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କେବଳ ଓଡ଼ିଶା ନୁହେଁ ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟରେ SIR (ସ୍ପେଶାଲ ଇଣ୍ଟେନସିଭ ରିଭିଜନ) କରାଯାଉଛି । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ, ଆର.ଏସ୍. ଗୋପାଳନ ଘୋଷଣା କରିଛନ୍ତିଏହାର ମୁଖ୍ୟ ଲକ୍ଷ୍ୟ ଭୋଟର ତାଲିକାରୁ ମୃତ ବ୍ୟକ୍ତି ବା ସ୍ଥାନାନ୍ତରିତ ଭୋଟରଙ୍କ ନାଁ ହଟାଇବା ଓ ନୂଆ ଭୋଟରଙ୍କ ସଠିକ ତଥ୍ୟ ଯୋଡି ନିର୍ଭୁଲ ତାଲିକା ପ୍ରକାଶ କରିବା । ଯେଉଁ ଯୋଗ୍ୟ ନାଗରିକଙ୍କ ୧୮ ବର୍ଷ ବୟସ ହୋଇଛି ସେମାନଙ୍କ ନାଁ ନୂଆ ଭାବେ ଯୋଡା ଯିବ । ରାଜ୍ୟରେ ବୁଥ ସଂଖ୍ୟା ବଢିବ । ୩୮ ହଜାରରୁ ୪୫ ହଜାରକୁ ବଢିବ । ଭୋଟର ତାଲିକାରେ ଡବଲ ସିରିଏଲ ନଂ ଥିବା ୭ହଜାରଙ୍କୁ ବାଦ୍ ଦିଆଯାଇଛି । ପୂର୍ବରୁ ବିହାର ସମେତ ଅନ୍ୟ ରାଜ୍ୟରେ SIR ସମୟରେ କିଛିଟା ତ୍ରୁଟି ଦେଖିବାକୁ ମିଳିଥିଲା । ବହୁ ରାଜନୈତିକ ଦଳ ଏହାକୁ ନେଇ ପ୍ରତିବାଦ କରିଥିଲେ । ତେଣୁ ଓଡ଼ିଶାରେ SIR କେତେ ନିରପେକ୍ଷ ହେବ ତାହା ଉପରେ ନଜର ।



