SIR କାର୍ଯ୍ୟ ଚାପରେ ଜୀବନ ହାରିଲେ ଶିକ୍ଷକ

SIR କାର୍ଯ୍ୟ ଚାପରେ ଜୀବନ ହାରିଲେ ଶିକ୍ଷକ
Samaya Live News Picture
Published On

ବୌଦ୍ଧ : SIR କାର୍ଯ୍ୟ ଚାପ ସହି ନପାରି ଜୀବନ ହାରିଲେ ଶିକ୍ଷକ (BLO)। ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଖଃଦ ଘଟଣା । ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ । ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ SIR କାମରେ ଉପରିସ୍ଥ ଅଧିକାରୀଙ୍କ ଅତ୍ୟଧିକ ଚାପ ଯୋଗୁଁ ବିଷ ପାନ କରି ବାପା ଜୀବନ ହାରିଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, ଗୋଛାପଡା ଗାଁର ଶୟନ ସାହୁ  ଗୁନ୍ଦୁଲିଆ କ୍ଳଷ୍ଟର ଡ଼ିମିରଖୋଲ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । SIR କାର୍ଯ୍ୟରେ ବିଏଲଓ ଭାବରେ ନିଯୁକ୍ତି ହୋଇଥିଲେ  l ତେବେ ସେ ଠିକ ଭାବେ ଦାୟିତ୍ୱ ନିର୍ବାହ କରୁନଥିବାରୁ ତାଙ୍କୁ ସସ୍ପେଣ୍ଡ କରାଯିବ ବୋଲି ଉପରିସ୍ଥ ଅଧିକାରୀ ଧମକ ଦେଉଥିଲେ ।

ଦୁଇଦିନ ତଳେ SIR କାର୍ଯ୍ୟରେ ଅବହେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରିଥିଲେ। ଏହି କଥା ଭାବି ବିଏଲଓ ଗତକାଲି ମଦରେ ବିଷ ମିଶାଇ ପି' ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯେଉଁ ଅଧିକାରୀଙ୍କ ଯୋଗୁଁ ତାଙ୍କ ବାପା ଚାପଗ୍ରସ୍ତ ହୋଇ ଜୀବନ ହାରିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁଅ ଅଭିଯୋଗ କରିଛନ୍ତି ।  ଏ ସମ୍ପର୍କରେ ବୌଦ୍ଧ ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ କଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ମୁଁ କହିପାରିବି ନାହିଁ ବୋଲି କହିଛନ୍ତି । ଏହି ଘଟଣା ସମଗ୍ର ଜିଲ୍ଲା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶିକ୍ଷକଙ୍କ ମହଳରେ ଶୋକର ଛାୟା ଖେଳି ଯାଇଛି।

Tags: