ଏସଆଇ ଆର ଝଡ଼ , ଫର୍ମ ୬କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ଭୁବନେଶ୍ୱର : ଏସଆଇଆର କୁ ନେଇ ତୀବ୍ର ହୋଇଛି ରାଜନୈତିକ ବୟାନବାଜି। ଏହି ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୋଟର ତାଲିକା ସଂଶୋଧନ, ଫର୍ମ-୬, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଓ କମିଶନର ନିଯୁକ୍ତି ବ୍ୟବସ୍ଥାକୁ ନେଇ ରଖିଲେ ମତ । ସେ କହିଛନ୍ତି ଏସଆଇଆର ଏକ ନିୟମିତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । କଂଗ୍ରେସ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ନିର୍ବାଚନ କମିଶନଙ୍କୁ ବଦନାମ କରୁଛି । କଂଗ୍ରେସ ମିଥ୍ୟା ପ୍ରଚାର କରି ସରକାରକୁ ବଦନାମ ପାଇଁ ପ୍ରୟାସ କରୁଛି ବୋଲି କହିଛନ୍ତି । ଗତକାଲି (ରବିବାର) କୋରାପୁଟରୁ ବନ୍ୟା ସ୍ଥିତିର ଏରିଏଲ ସର୍ଭେ ସାରି ଭୁବନେଶ୍ୱର ଫେରିବା ପରେ ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ,କଂଗ୍ରେସ ସାରା ଦେଶରେ ଏକ ନେଗେଟିଭ ପରିବେଶ ସୃଷ୍ଟି କରୁଛି, ଏହା ନିନ୍ଦନୀୟ। ଫର୍ମ 6ରେ ପରିବର୍ତ୍ତନ କରାଯାଉଥିବା କଥା କୁହାଯାଉଛି ଯାହାକି ପ୍ରକୃତରେ ପରିବର୍ତ୍ତନ କରାଯାଇନାହିଁ । ଏସଆଇଆର ପ୍ରକ୍ରିୟାରୁ ଯୋଗ୍ୟ ଭୋଟରଙ୍କ ନାଁ ବାଦ ପଡ଼ିବା ନୁହେଁ ବରଂ ଭୋଟର ତାଲିକାକୁ ଶୁଦ୍ଧ କରିବା,ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ।
ସେହିପରି ,ଘୋଷଣା ନାମା ଫର୍ମ ଯଥୋଚିତ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିସାରିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି । ଏ ସମସ୍ତ ପ୍ରକ୍ରିୟାକୁ ଡିଜିଟାଲାଇଜେସନ କରାଯାଇଛି । ୨କୋଟି ୩୭ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଛି। ଅନଲାଇନରେ ପ୍ରତି ମାସରେ ନୂଆ ଭୋଟର ସାମିଲ ହେଉଛନ୍ତି । "ଦୀର୍ଘ ବ୍ୟବଧାନ ପରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃ ସଂଶୋଧନ କରାଯାଉଛି । ଡିଜିଟାଲ୍ ପ୍ରକ୍ରିୟା ସହ ଘରକୁ ଘର ଯାଇ ଏହି କାମ ଚାଲିଛି ।
୧୭କୋଟି ୨୮ଲକ୍ଷ ନୂଆ ଭୋଟର ସାମିଲ ହେଲେଣି । ମୁଖ୍ୟ ନିର୍ବାଚନ କମିଶନ ଅନ୍ୟ ୨କମିଶନଙ୍କୁ ଅଣଦେଖା କରି ଏକାଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ପ୍ରକ୍ରିୟାରେ ସମସ୍ତଙ୍କୁ ନେଇ ନିଷ୍ପତ୍ତି ନେଇଥାଆନ୍ତି । ନିର୍ବାଚନ କମିଶନ ନିଯୁକ୍ତିରୁ ସୁପ୍ରିମକୋର୍ଟକୁ ବାଦ ଦେବା ଅଭିଯୋଗ କରୁଛି କଂଗ୍ରେସ । ଏହା ମଧ୍ୟ ମିଥ୍ୟା ବୋଲି କହିଛନ୍ତି । କମିଶନ ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ସଦସ୍ୟ ଅଛନ୍ତି ।




